30/10/18          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:— ଜ୍ଞାନର ସୁଖ ୨୧ ପିଢି ପର୍ଯ୍ୟନ୍ତ ଚାଲିବ, ତାହା ହେଉଛି ସ୍ୱର୍ଗ ଦୁନିଆର ସ୍ଥାୟୀ ସୁଖ, ଭକ୍ତିମାର୍ଗରେ ତୀବ୍ର ଭକ୍ତି କରିବା ଦ୍ୱାରା ଅଳ୍ପକାଳର କ୍ଷଣଭଙ୍ଗୁର ସୁଖ ମିଳିଥାଏ ।”

ପ୍ରଶ୍ନ:-
କେଉଁ ଶ୍ରୀମତରେ ଚାଲିବା ଦ୍ୱାରା ତୁମେ ପିଲାମାନେ ସଦଗତି ପ୍ରାପ୍ତ କରିପାରିବ ?

ଉତ୍ତର:-
ତୁମମାନଙ୍କ ପାଇଁ ବାବାଙ୍କର ଶ୍ରୀମତ ହେଲା— ଏହି ପୁରୁଣା ଦୁନିଆକୁ ଭୁଲି କେବଳ ମୋତେ ମନେ ପକାଅ । ଏହାକୁ ହିଁ ସମର୍ପଣ ହେବା ବା ବଞ୍ଚି ଥାଉ ଥାଉ ମରିବା କୁହାଯାଏ । ଏହି ଶ୍ରୀମତ ଆଧାରରେ ହିଁ ତୁମେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେଉଛ, ତୁମମାନଙ୍କର ସଦଗତି ହୋଇଯାଉଛି । ମନୁଷ୍ୟ କେବେହେଲେ ମନୁଷ୍ୟମାନଙ୍କର ସଦଗତି କରିପାରିବେ ନାହିଁ । ବାବା ହିଁ ସମସ୍ତଙ୍କର ସଦଗତିଦାତା ।

ଗୀତ:-
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଉଚ୍ଚରୁ ଉଚ୍ଚ ଭଗବାନ ବୋଲି ଗାୟନ କରାଯାଉଛି । ତେବେ ଭଗବାନଙ୍କର ନାମ ତ ମନୁଷ୍ୟ ମାତ୍ରେ କେହି ବି ଜାଣିନାହାଁନ୍ତି । ଯେପର୍ଯ୍ୟନ୍ତ ଭଗବାନ ନିଜେ ଆସି ଭକ୍ତମାନଙ୍କୁ ନିଜର ପରିଚୟ ଦେଇନାହାଁନ୍ତି । ଶେଷ ପର୍ଯ୍ୟନ୍ତ ଭକ୍ତମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ । ଏକଥା ତ ବୁଝାଇଦିଆଯାଇଛି ଯେ ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା । ସତ୍ୟ ତ୍ରେତା ଯୁଗ ହେଉଛି ଜ୍ଞାନର ପ୍ରାରବ୍ଧ । ଏବେ ତୁମେମାନେ ଜ୍ଞାନ ସାଗରଙ୍କଠାରୁ ଜ୍ଞାନ ପ୍ରାପ୍ତ କରି ପୁରୁଷାର୍ଥ ଦ୍ୱାରା ନିଜର ସଦା ସୁଖର ପ୍ରାରବ୍ଧ ଜମା କରୁଛ । ପୁଣି ଦ୍ୱାପର କଳିଯୁଗରେ ଭକ୍ତି କରୁଛ । ଜ୍ଞାନର ପ୍ରାରବ୍ଧ ସତ୍ୟ ତ୍ରେତା ଯୁଗ ପର୍ଯ୍ୟନ୍ତ ଚାଲିଛି ଯାହାକୁ ୨୧ପିଢିର ସୁଖ କୁହାଯାଉଛି । ତାହା ହେଲା ସ୍ୱର୍ଗ ଦୁନିଆର ସ୍ଥାୟୀ ସୁଖ । ନର୍କ ଦୁନିଆରେ ଅଳ୍ପକାଳର କ୍ଷଣ ଭଙ୍ଗୁର ସୁଖ ମିଳିଥାଏ । ପିଲାମାନଙ୍କୁ ବୁଝାଇ ଦିଆଯାଉଛି ସତ୍ୟ ତ୍ରେତା ଯୁଗକୁ ଜ୍ଞାନମାର୍ଗ କୁହାଯିବ ଯେତେବେଳେ କି ନୂଆ ଦୁନିଆ, ନୂଆ ଭାରତ ଥିଲା । ତାହାକୁ ହିଁ ସ୍ୱର୍ଗ କୁହାଯାଉଛି । ଏବେ ତ ତମୋପ୍ରଧାନ ଭାରତ ନର୍କ ପାଲଟି ଯାଇଛି । ଏଠାରେ ଅନେକ ପ୍ରକାରର ଦୁଃଖ ରହିଛି । ସ୍ୱର୍ଗରେ ଦୁଃଖର ଚିହ୍ନ-ବର୍ଣ୍ଣ ନଥାଏ । ତେଣୁ ସେଠାରେ ଗୁରୁ କରିବାର ଆବଶ୍ୟକତା ହିଁ ନାହିଁ । ତେବେ ତୁମମାନଙ୍କୁ ହିଁ ଭକ୍ତମାନଙ୍କର ଉଦ୍ଧାର କରିବାକୁ ହେବ । ଏବେ ତ କଳିଯୁଗର ଅନ୍ତିମ ସମୟ, ବିନାଶ ସମ୍ମୁଖରେ ଦଣ୍ଡାୟମାନ । ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ଜ୍ଞାନ ଦେଇ ସ୍ୱର୍ଗର ସ୍ଥାପନା କରୁଛନ୍ତି, ଶଙ୍କରଙ୍କ ଦ୍ୱାରା ବିନାଶ ଏବଂ ବିଷ୍ଣୁଙ୍କ ଦ୍ୱାରା ପାଳନାର କାର୍ଯ୍ୟ କରାଉଛନ୍ତି । ପରମାତ୍ମାଙ୍କର କର୍ତ୍ତବ୍ୟକୁ କେହି ବି ବୁଝିନାହାଁନ୍ତି । ମନୁଷ୍ୟକୁ ପାପାତ୍ମା, ପୁଣ୍ୟାତ୍ମା କୁହାଯାଏ, ପାପ ପରମାତ୍ମା, ପୁଣ୍ୟ ପରମାତ୍ମା କୁହାଯାଏ ନାହିଁ । ମହାତ୍ମାଙ୍କୁ ମଧ୍ୟ ମହାନ ଆତ୍ମା କୁହାଯିବ, ମହାନ ପରମାତ୍ମା କୁହାଯିବ ନାହିଁ । ଆତ୍ମା ହିଁ ପବିତ୍ର ବା ଅପବିତ୍ର ହୋଇଥାଏ । ବାବା ବୁଝାଇଥାନ୍ତି— ପ୍ରଥମେ ପ୍ରଥମେ ମୁଖ୍ୟ ହେଲା ଦେବୀ-ଦେବତା ଧର୍ମ, ସେହି ସମୟରେ ସୂର୍ଯ୍ୟବଂଶୀ ହିଁ ରାଜ୍ୟ କରୁଥିଲେ, ଚନ୍ଦ୍ରବଂଶୀ ମଧ୍ୟ ନଥିଲେ, ଗୋଟିଏ ଧର୍ମ ଥିଲା । ଭାରତରେ ସୁନା ରୂପାର ମହଲା ଥିଲା, ହୀରା ନୀଳା ଆଦିରେ ଛାତ, କାନ୍ଥ ଇତ୍ୟାଦି ସୁସଜ୍ଜିତ ହୋଇଥିଲା । ଭାରତ ହୀରାତୁଲ୍ୟ ଥିଲା, ସେହି ଭାରତ ଏବେ କଉଡିତୁଲ୍ୟ ହୋଇଯାଇଛି । ବାବା କହୁଛନ୍ତି ମୁଁ କଳ୍ପର ଶେଷ ସମୟରେ ଅର୍ଥାତ୍ ସତ୍ୟଯୁଗ ଆରମ୍ଭର ସଙ୍ଗମ ସମୟରେ ହିଁ ଆସୁଛି । ଭାରତକୁ ମାତାମାନଙ୍କ ଦ୍ୱାରା ପୁନର୍ବାର ସ୍ୱର୍ଗରେ ପରିଣତ କରୁଛି । ଏମାନେ ହେଲେ ଶିବଶକ୍ତି, ପାଣ୍ଡବସେନା । ପାଣ୍ଡବମାନଙ୍କର ପ୍ରୀତି ଏକମାତ୍ର ବାବାଙ୍କ ସହିତ ରହିଛି । ସେମାନଙ୍କୁ ବାବା ହିଁ ପାଠ ପଢାଉଛନ୍ତି । ଶାସ୍ତ୍ର-ପୁରାଣ ସବୁକିଛି ହେଲା ଭକ୍ତିମାର୍ଗର ସାମଗ୍ରୀ । ତାହା ହେଲା ଭକ୍ତି କଲ୍ଟ ଅର୍ଥାତ୍ ଭକ୍ତିର ପ୍ରଥା । ବର୍ତ୍ତମାନ ବାବା ଆସି ସମସ୍ତଙ୍କୁ ଭକ୍ତିର ଫଳ ଜ୍ଞାନ ଦେଉଛନ୍ତି, ଯାହା ଦ୍ୱାରା ତୁମର ସଦଗତି ହେଉଛି । ତେବେ ସଦଗତି ଦାତା ସମସ୍ତଙ୍କର ପିତା ଜଣେ ହିଁ ଅଟନ୍ତି । ବାବାଙ୍କୁ ହିଁ ଜ୍ଞାନର ସାଗର କୁହାଯାଏ ବାକି ମନୁଷ୍ୟ, ମନୁଷ୍ୟକୁ ମୁକ୍ତି ଜୀବନମୁକ୍ତି ଦେଇପାରିବ ନାହିଁ । ଏହି ଜ୍ଞାନ କୌଣସି ଶାସ୍ତ୍ରରେ ନାହିଁ । ତେଣୁ ଜ୍ଞାନର ସାଗର ଏକମାତ୍ର ବାବାଙ୍କୁ ହିଁ କୁହାଯାଏ, ତାଙ୍କଠାରୁ ତୁମେମାନେ ସମ୍ପତ୍ତି ନେଉଛ, ଏହାପରେ ତୁମେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ହୋଇଯିବ । ଏହା ହେଉଛି ଦେବତାମାନଙ୍କର ମହିମା । ଲକ୍ଷ୍ମୀ-ନାରାୟଣ ହେଲେ ୧୬ କଳା ସମ୍ପୂର୍ଣ୍ଣ, ରାମ-ସୀତା ୧୪ କଳା । ଏହା ହେଉଛି ପାଠପଢା, କୌଣସି ସାଧାରଣ ସତସଙ୍ଗ ନୁହେଁ । ସତ୍ୟ ଏକମାତ୍ର ଜଣେ ଯିଏକି ଆସି ସତ୍ୟ ଜ୍ଞାନ ଶୁଣାଉଛନ୍ତି । ଏହା ହେଉଛି ପତିତ ଦୁନିଆ । ପବିତ୍ର ଦୁନିଆରେ ପତିତ କେହି ନଥାନ୍ତି, ପତିତ ଦୁନିଆରେ ମଧ୍ୟ ପବିତ୍ର କେହି ନଥାନ୍ତି । ତେବେ ପବିତ୍ର ବାବା ହିଁ କରିଥାନ୍ତି । ଯାହାଙ୍କୁ ଆତ୍ମା କହୁଛି ଶିବାୟ ନମଃ, ଅର୍ଥାତ୍ ଆତ୍ମା ନିଜର ପିତାଙ୍କୁ ନମସ୍ତେ କରୁଛି । ଯଦି କେହି କହୁଛି ଯେ ମୋ ଭିତରେ ମଧ୍ୟ ଶିବ ଅଛନ୍ତି ତେବେ ପୁଣି ନମସ୍କାର କାହାକୁ କରୁଛନ୍ତି । ଏହିଭଳି ଅଜ୍ଞାନ ବ୍ୟାପୀ ରହିଛି । ଏବେ ତୁମମାନଙ୍କୁ ବାବା ତ୍ରିକାଳଦର୍ଶୀ କରୁଛନ୍ତି । ତୁମେ ଜାଣିଛ ସବୁ ଆତ୍ମାମାନେ ଯେଉଁଠାରେ ରହୁଛନ୍ତି ତାହା ହେଉଛି ନିର୍ବାଣଧାମ, ମିଠାଘର ତେଣୁ ମୁକ୍ତିକୁ ମଧ୍ୟ ସମସ୍ତେ ମନେପକାଉଛନ୍ତି ଯେଉଁଠି ଆମେ ବାବାଙ୍କ ସାଥୀରେ ରହୁଛୁ । ଏବେ ତୁମେ ବାବାଙ୍କୁ ମନେପକାଉଛ । ଯେତେବେଳେ ସୁଖଧାମକୁ ଚାଲିଯିବ ସେତେବେଳେ ଆଉ ବାବାଙ୍କୁ ମନେ ପକାଇବ ନାହିଁ । ଏବେ ତ ଏହା ଦୁଃଖଧାମ ହିଁ ଅଟେ । ଯେଉଁଠି ସମସ୍ତେ ଦୁର୍ଗତିରେ ଅଛନ୍ତି । ନୂଆ ଦୁନିଆରେ ଭାରତ ନୂଆ ଥିଲା, ସୁଖଧାମ ଥିଲା, ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀଙ୍କର ରାଜ୍ୟ ଥିଲା । ମନୁଷ୍ୟମାନଙ୍କୁ ତ ଏକଥା ଜଣାନାହିଁ ଯେ ଲକ୍ଷ୍ମୀ-ନାରାୟଣ ଏବଂ ରାଧା-କୃଷ୍ଣଙ୍କ ମଧ୍ୟରେ ସମ୍ପର୍କ କ’ଣ ? ସିଏ ହେଲେ ରାଜକୁମାରୀ, ଇଏ ରାଜକୁମାର ଯିଏକି ଅଲଗା ଅଲଗା ରାଜ୍ୟର ଅଟନ୍ତି । ଏମିତି ନୁହେଁ ଯେ ଉଭୟ ପରସ୍ପର ଭାଇ ଭଉଣୀ ଥିଲେ । ସିଏ ଅଲଗା ଗୋଟିଏ ରାଜଧାନୀରେ ଥିଲେ, କୃଷ୍ଣ ମଧ୍ୟ ନିଜର ରାଜଧାନୀର ରାଜକୁମାର ଥିଲେ । ସ୍ୱୟମ୍ବର ହେବା ପରେ ସେମାନେ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ସତ୍ୟଯୁଗରେ ପ୍ରତ୍ୟେକ ଜିନିଷ ସୁଖଦାୟୀ କଳିଯୁଗରେ ପ୍ରତ୍ୟେକ ଜିନିଷ ଦୁଃଖଦାୟୀ । ସତ୍ୟଯୁଗରେ କାହାକୁ ଅକାଳମୃତ୍ୟୁ ହୋଇନଥାଏ । ତୁମେ ପିଲାମାନେ ଜାଣିଛ ଆମେ ନିଜର ପରମପିତା ପରମାତ୍ମା ବାବାଙ୍କଠାରୁ ରାଜଯୋଗ ଶିକ୍ଷା କରୁଛୁ— ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବା ପାଇଁ । ଏହା ଏକ ବିଦ୍ୟାଳୟ ଅଟେ । ଅନ୍ୟ ସବୁ ସତସଙ୍ଗ ଗୁଡିକରେ କୌଣସି ଲକ୍ଷ୍ୟ ବା ଉଦ୍ଦେଶ୍ୟ ନଥାଏ । ବେଦ ଶାସ୍ତ୍ର ଆଦି ଶୁଣାଇ ଥାନ୍ତି । ଏଠାରେ ତ ତୁମେମାନେ ଏବେ ବାବାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିର ଚକ୍ରକୁ ଜାଣିଗଲଣି । ବାବାଙ୍କୁ ହିଁ ଜ୍ଞାନର ସାଗର, ଆନନ୍ଦର ସାଗର, ଦୟାର ସାଗର କୁହାଯାଏ । ଗାୟନ ମଧ୍ୟ କରୁଛନ୍ତି— ହେ ବାବା, ଆସ ଦୟା କର । ତେବେ ସେହି ସ୍ୱର୍ଗୀୟ ଈଶ୍ୱର ପିତା ହିଁ ସଙ୍ଗମଯୁଗରେ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି ।

ସ୍ୱର୍ଗ ଦୁନିଆରେ ବହୁତ କମ ମନୁଷ୍ୟ ରହିବେ, ବାକି ଏତେ ସବୁ ମନୁଷ୍ୟ କୁଆଡେ ଯିବେ ? ବାବା ସମସ୍ତଙ୍କୁ ମୁକ୍ତିଧାମକୁ ନେଇଯାଉଛନ୍ତି । ସ୍ୱର୍ଗରେ କେବଳ ଭାରତ ହିଁ ଥିଲା, ପୁଣି ବି ସେହି ଭାରତ ହିଁ ରହିବ । ଏହି ଭାରତ ହିଁ ସତ୍ୟ ଭୂଖଣ୍ଡ ବୋଲି ଏଠାରେ ଗାୟନ ଅଛି । ଏବେ ତ ଭାରତ କାଙ୍ଗାଳ ହୋଇଯାଇଛି । ଗୋଟିଏ ଗୋଟିଏ ପଇସା ପାଇଁ ଭିକ ମାଗୁଛନ୍ତି । ଏହି ଭାରତ ହୀରା ତୁଲ୍ୟ ଥିଲା, ଏବେ କଉଡିତୁଲ୍ୟ ହୋଇଯାଇଛି । ଡ୍ରାମାର ଏହି ରହସ୍ୟକୁ ତୁମକୁ ବୁଝିବାକୁ ହେବ । ତୁମେ ରଚୟିତା ବାବାଙ୍କୁ ଏବଂ ତାଙ୍କର ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । କଂଗ୍ରେସୀମାନେ ମଧ୍ୟ ବନ୍ଦେ ମାତରମ୍ କହୁଛନ୍ତି । କିନ୍ତୁ ବନ୍ଦନା ତ ପବିତ୍ରମାନଙ୍କର ହିଁ କରାଯାଏ । ଏବେ ପରମାତ୍ମା ଆସି ବନ୍ଦେ ମାତରମ୍ କହିବା ଆରମ୍ଭ କରୁଛନ୍ତି । ଶିବବାବା ହିଁ ଆସି କହୁଛନ୍ତି— ନାରୀ ସ୍ୱର୍ଗର ଦ୍ୱାର । ନାରୀ ଶକ୍ତିସେନା ଅଟନ୍ତି ନା । ଏମାନେ ସ୍ୱର୍ଗର ରାଜ୍ୟ ପ୍ରାପ୍ତ କରାଉଛନ୍ତି ଯାହାକୁ ବିଶ୍ୱର ସର୍ବଶକ୍ତି ସମ୍ପନ୍ନ ରାଜ୍ୟ ବୋଲି କୁହାଯାଉଛି । ତୁମେ ଶକ୍ତିମାନେ ହିଁ ସ୍ୱରାଜ୍ୟର ସ୍ଥାପନା କରିଥିଲ, ଏବେ ପୁଣି ସ୍ଥାପନା ହେଉଛି । ସତ୍ୟଯୁଗକୁ ହିଁ ରାମରାଜ୍ୟ କୁହାଯାଏ । ଏବେ ମଧ୍ୟ କହୁଛନ୍ତି ରାମରାଜ୍ୟ ଆସୁ । କିନ୍ତୁ ତାହା କୌଣସି ମନୁଷ୍ୟ ତ କରିପାରିବ ନାହିଁ । ଏଠାରେ ନିରାକାର ଈଶ୍ୱର ପିତା ହିଁ ଆସି ପାଠ ପଢାଉଛନ୍ତି । ତାଙ୍କୁ ମଧ୍ୟ ନିଶ୍ଚିତ ଶରୀର ଦରକାର । ସେଥିପାଇଁ ନିଶ୍ଚିତ ତାଙ୍କୁ ବ୍ରହ୍ମାଙ୍କ ଶରୀରରେ ଆସିବାକୁ ପଡିବ । ଶିବବାବା ତ ହେଉଛନ୍ତି ତୁମ ସମସ୍ତ ଆତ୍ମାମାନଙ୍କର ପିତା । ପ୍ରଜାପିତାଙ୍କର ମଧ୍ୟ ଗାୟନ ରହିଛି । ତେବେ ପିତା ତ ବାପା ଅଟନ୍ତି ନା । ବ୍ରହ୍ମାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା କୁହାଯାଏ । ଏଠାରେ (ଦିଲବାଡା ମନ୍ଦିରରେ) ଆଦି ଦେବ ଏବଂ ଆଦି ଦେବୀ ଉଭୟ ବସିଛନ୍ତି, ତପସ୍ୟା କରୁଛନ୍ତି । ତୁମେମାନେ ମଧ୍ୟ ତପସ୍ୟା କରୁଛ । ଏହା ହେଉଛି ରାଜଯୋଗ । ସନ୍ନ୍ୟାସୀମାନଙ୍କର ହେଲା ହଠଯୋଗ । ସେମାନେ କେବେହେଲେ ରାଜଯୋଗ ଶିଖାଇପାରିବେ ନାହିଁ । ଗୀତା ଭାଗବତ ଆଦି ଯାହା ସବୁ ଶାସ୍ତ୍ର ରହିଛି ତାହା ହେଲା ଭକ୍ତିମାର୍ଗର ସାମଗ୍ରୀ । ସେଗୁଡିକୁ ତ ଅନେକ ଜନ୍ମରୁ ପଢି ଆସୁଛନ୍ତି, ତଥାପି ମଧ୍ୟ ତମୋପ୍ରଧାନ ପତିତ ହୋଇ ଚାଲିଛନ୍ତି । ତେବେ ଏହା ମଧ୍ୟ ସେହି ମହାଭାରତ ଯୁଦ୍ଧ ଯାହା ଦ୍ୱାରା ବିନାଶ ହେବାକୁ ଯାଉଛି । ବିଜ୍ଞାନର ଜ୍ଞାନ କୌଣସି ବେଦ ଶାସ୍ତ୍ରରେ ନାହିଁ, ସେଥିରେ ତ ଜ୍ଞାନର ହିଁ କଥା ସବୁ ଅଛି । ଏହି ବିଜ୍ଞାନ ତ ମନୁଷ୍ୟର ବୁଦ୍ଧିର ଚମତ୍କାରୀ ଯାହାକି ନୂଆ ନୂଆ ଉଦ୍ଭାବନ କରି ଚାଲିଛନ୍ତି । ସୁଖ ପାଇବା ପାଇଁ ବିମାନ (ଉଡାଜାହାଜ) ଆଦି ତିଆରି କରୁଛନ୍ତି । ପୁଣି ଶେଷ ସମୟରେ ଏହି ସବୁ ଦ୍ୱାରା ହିଁ ବିନାଶ ହେବ । ଏହିସବୁ ସୁଖ ପାଇବାର କଳା-କୌଶଳ ଭାରତରେ ହିଁ ରହିଯିବ । ମାରିବାର ଅର୍ଥାତ୍ ଦୁଃଖ ଦେବାର କଳା-କୌଶଳ ସବୁ ସମାପ୍ତ ହୋଇଯିବ । ତେବେ ବିଜ୍ଞାନର ବୁଦ୍ଧି ତ ଆରମ୍ଭରୁ ହିଁ ଚାଲିଆସୁଛି । ଏହି ସବୁ ବୋମାଗୁଡିକ କଳ୍ପ ପୂର୍ବରୁ ମଧ୍ୟ ତିଆରି ହୋଇଥିଲା । ପତିତ ଦୁନିଆର ବିନାଶ ଏବଂ ନୂଆ ଦୁନିଆର ସ୍ଥାପନା ତ ହେବାର ଅଛି । ବାବା କହୁଛନ୍ତି ତୁମେମାନେ ୮୪ ଜନ୍ମ ପୂରଣ କରିସାରିଛ, ଏବେ ଏହି ଦେହର ଅହଂକାରକୁ ଛାଡି ମୋତେ ମନେ ପକାଅ ତେବେ ସେହି ଯୋଗାଗ୍ନି ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ । ରାବଣ ତୁମକୁ ବହୁତ ବିକର୍ମ କରାଇ ଦେଇଛି । ଏବେ ପବିତ୍ର ହେବା ପାଇଁ ତ ଗୋଟିଏ ମାତ୍ର ଉପାୟ । ତୁମେ ତ ଆତ୍ମା ହିଁ ଅଟ । ନିଜକୁ ଆତ୍ମା ବୋଲି ମଧ୍ୟ କହୁଛ, ଏପରି ତ କହୁନାହଁ ଯେ ମୁଁ ପରମାତ୍ମା । ତୁମେ କହୁଛ ମୋ ଆତ୍ମାକୁ ବିରକ୍ତ କର ନାହିଁ । ତେଣୁ ଆତ୍ମା ହିଁ ପରମାତ୍ମା କହିବା, ଏହା ତ ବହୁତ ବଡ ଭୁଲ୍ । ଏବେ ହେଉଛି ତମୋପ୍ରଧାନ ବ୍ୟଭିଚାରୀ ଭକ୍ତି । ଯାହାକୁ ଇଚ୍ଛା ତାକୁ ପୂଜା କରୁଛନ୍ତି । ଜଣଙ୍କୁ ମନେ ପକାଇବାକୁ ଅବ୍ୟଭିଚାରୀ ଭକ୍ତି କୁହାଯାଏ । ଏବେ ତ ବ୍ୟଭିଚାରୀ ଭକ୍ତି ମଧ୍ୟ ସମାପ୍ତ ହେବାକୁ ଯାଉଛି । ବାବା ଆସି ବେହଦର ବର୍ସା (ପୈତୃକ ସମ୍ପତ୍ତି) ଦେଉଛନ୍ତି । ତେବେ ସମସ୍ତଙ୍କର ସୁଖଦାତା ଜଣେ ହିଁ ବାବା, ଦ୍ୱିତୀୟ କେହି ନୁହେଁ । ବାବା କହୁଛନ୍ତି କେବଳ ମୋ ସହିତ ବୁଦ୍ଧିଯୋଗ ଯୋଡିବା ଦ୍ୱାରା ହିଁ ଅନ୍ତିମ ସ୍ମୃତି ଅନୁସାରେ ପରବର୍ତ୍ତୀ ଜନ୍ମ (ଗତି) ମିଳିବ । ମୁଁ ହିଁ ସ୍ୱର୍ଗର ରଚୟିତା । ଏହା ହେଉଛି କଣ୍ଟାର ଦୁନିଆ । ପରସ୍ପର ସହିତ ଲଢେଇ ଝଗଡା କରି ଚାଲିଛନ୍ତି । ଏବେ ଏହି ପୁରୁଣା ଦୁନିଆ ବଦଳିବାକୁ ଯାଉଛି । ବାବା ଜ୍ଞାନ ଅମୃତର କଳସ ମାତାମାନଙ୍କ ଉପରେ ରଖୁଛନ୍ତି । ବାସ୍ତବରେ ଏହା ହେଉଛି ଜ୍ଞାନ କିନ୍ତୁ ବିଷ ତୁଳନାରେ ଏହାକୁ ଅମୃତ କୁହାଯାଉଛି । ଗାୟନ ମଧ୍ୟ ଅଛି— ଅମୃତକୁ ଛାଡି ବିଷ କାହିଁକି ଖାଇଲ... । ତେଣୁ ଶ୍ରୀମତ ଦ୍ୱାରା ହିଁ ତୁମେ ଶ୍ରେଷ୍ଠ ହୋଇପାରିବ । ପରମପିତା ପରମାତ୍ମା ଆସି ଶ୍ରୀମତ ଦେଉଛନ୍ତି । ଶ୍ରୀକୃଷ୍ଣ ମଧ୍ୟ ଶ୍ରୀମତ ଦ୍ୱାରା ହିଁ ଏହିଭଳି ଶ୍ରେଷ୍ଠ ହେଉଛନ୍ତି । ତେବେ ଏସବୁ ହେଲା ବୁଝିବାର କଥା । ସାରା ପୁରୁଣା ଦୁନିଆକୁ ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଏହି ସମୟରେ ହିଁ ସମର୍ପଣ ହେବାକୁ ପଡିଥାଏ । ଏହାକୁ ହିଁ ବଞ୍ଚି ଥାଉ ଥାଉ ମରିବା କୁହାଯାଏ । ଭକ୍ତିମାର୍ଗର କଥା ଅଲଗା କାରଣ ତାହା ସବୁ ଭକ୍ତିର ପ୍ରଥା । ଭକ୍ତିମାର୍ଗରେ ତ ଅନେକ ଗୁରୁ ଅଛନ୍ତି, କିନ୍ତୁ ସଦଗତି ଦାତା ତ ଏକମାତ୍ର ନିରାକାର ପରମପିତା ପରମାତ୍ମା ଅଟନ୍ତି । ସାକାର ମନୁଷ୍ୟ, ମନୁଷ୍ୟମାନଙ୍କର ସଦଗତି କରିପାରିବେ ନାହିଁ । କିମ୍ବା ସଦାକାଳର ସୁଖ ଦେଇପାରିବେ ନାହିଁ । ତେଣୁ ସଦାକାଳର ସୁଖ କେବଳ ବାବା ହିଁ ଦେଉଛନ୍ତି । ଏହା ହେଉଛି ପାଠଶାଳା । ଏହି ପାଠପଢାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ବାବା ବତାଉଛନ୍ତି । କହୁଛନ୍ତି ତୁମମାନଙ୍କୁ ସ୍ୱର୍ଗ ସୁଖର ସମ୍ପତ୍ତି ମିଳିବ । ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ଗୋଟିଏ ହେଲା ଶାନ୍ତିଧାମ, ଦ୍ୱିତୀୟଟି ହେଲା ସୁଖଧାମ, ଏହା ହେଉଛି ଦୁଃଖଧାମ । ଏହିଭଳି ଚକ୍ର ଘୂରିଚାଲିଛି । ଏହାକୁ ହିଁ ସ୍ୱଦର୍ଶନ ଚକ୍ର କୁହାଯାଏ । ଏହି ଡ୍ରାମାର ଚକ୍ରରୁ କେହି ବାହାରିଯାଇ ପାରିବେ ନାହିଁ । ସମସ୍ତଙ୍କର ପୂର୍ବ ପ୍ରସ୍ତୁତ ଅବିନାଶୀ ପାର୍ଟ ରହିଛି । ବାବା ତୁମକୁ ପାଠପଢାଇ ମନୁଷ୍ୟରୁ ଦେବତା କରୁଛନ୍ତି । ତେବେ ଯିଏ ଯେତେ ପାଠପଢିପାରିବ, କେହି ରାଜା ହେବେ, କେହି ପ୍ରଜା ମଧ୍ୟ ହେବେ । ସୂର୍ଯ୍ୟବଂଶୀ ରାଜଧାନୀ ହେବ ନା! ସତ୍ୟଯୁଗରେ ସୂର୍ଯ୍ୟବଂଶୀମାନେ ଥିଲେ ତେଣୁ ଅନ୍ୟ କୌଣସି ରାଜବଂଶ ନଥିଲା । ଏହି ଭାରତ ଭୂଖଣ୍ଡ (ମହାଦୀପ) ହିଁ ଉଚ୍ଚରୁ ଉଚ୍ଚ ସତ୍ୟ ଭୂଖଣ୍ଡ ଥିଲା, ଏବେ ମିଥ୍ୟା ଭୂଖଣ୍ଡ ହୋଇଯାଇଛି । ଏହାକୁ ହିଁ ରୌରବ ନର୍କ କୁହାଯାଉଛି । ଧନ ପାଇଁ କେତେ ମରାମରୀ ହେଉଛନ୍ତି । ସେଠାରେ ତ କୌଣସି ଅପ୍ରାପ୍ତ ବସ୍ତୁ ନଥାଏ, ଯାହାକୁ ପାଇବା ପାଇଁ କୌଣସି ପାପ କରିବାକୁ ପଡିବ । ବାବା ହିଁ ଏହି ଭ୍ରଷ୍ଟାଚାରୀ ଦୁନିଆକୁ ଶ୍ରେଷ୍ଠାଚାରୀ କରୁଛନ୍ତି, ଏହି ମାତାମାନଙ୍କ ଦ୍ୱାରା । ଏହିମାନଙ୍କୁ ହିଁ ବାବା ଆସି ବନ୍ଦେମାତରମ୍ କହୁଛନ୍ତି । ସନ୍ନ୍ୟାସୀମାନେ ବନ୍ଦେ ମାରତମ୍ କୁହନ୍ତି ନାହିଁ । ସେମାନଙ୍କର ହେଲା ହଦର ସନ୍ନ୍ୟାସ । ଏହା ହେଉଛି ବେହଦର ସନ୍ନ୍ୟାସ । ଏଠାରେ ବୁଦ୍ଧି ଦ୍ୱାରା ସାରା ଦୁନିଆର ସନ୍ନ୍ୟାସ କରିବାକୁ ପଡିବ । ଶାନ୍ତିଧାମ, ସୁଖଧାମକୁ ମନେପକାଇବାକୁ ପଡିବ । ଦୁଃଖଧାମକୁ ଭୁଲିଯିବାକୁ ପଡିବ । ଏହା ହିଁ ହେଉଛି ବାବାଙ୍କର ଆଜ୍ଞା । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ତୁମେମାନେ ଏହି କାନ ଦ୍ୱାରା ଶୁଣୁଛ । ଶିବବାବା ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମକୁ ବୁଝାଉଛନ୍ତି । ସିଏ ହେଉଛନ୍ତି ଜ୍ଞାନର ସାଗର କିନ୍ତୁ ଇଏ (ବ୍ରହ୍ମା) କୌଣସି ସାଧୁ, ସନ୍ଥ ବା ମହାତ୍ମା ନୁହଁନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—

(୧) ବାବାଙ୍କ ଉପରେ ପୁରା ପୁରା ସମର୍ପଣ ହେବାକୁ ପଡିବ । ଦେହର ଅହଂକାରକୁ ଛାଡି ଯୋଗ ଅଗ୍ନିରେ ବିକର୍ମର ବିନାଶ କରିବାକୁ ହେବ ।

(୨) ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ବୁଦ୍ଧିରେ ରଖି ପାଠ ପଢିବାକୁ ହେବ । ପୂର୍ବ ପ୍ରସ୍ତୁତ ଡ୍ରାମାକୁ ବୁଦ୍ଧିରେ ରଖି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ ।

ବରଦାନ:-
ସନ୍ତୁଷ୍ଟତାର ପ୍ରମାଣ ପତ୍ର ଦ୍ୱାରା ରାଜ୍ୟଭାଗ୍ୟର ସିଂହାସନ ପ୍ରାପ୍ତ କରୁଥିବା ସନ୍ତୁଷ୍ଟ ମୂର୍ତ୍ତି ହୁଅ ।

ନିଜକୁ ସନ୍ତୁଷ୍ଟ ରଖିବାକୁ ହେବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ହେବ— ଏହି ସ୍ଳୋଗାନ ସଦା ସର୍ବଦା ତୁମର ମସ୍ତକ ରୂପୀ ବୋର୍ଡ ଉପରେ ଲେଖା ହୋଇ ରହୁ କାହିଁକି ନା ଏହି ପ୍ରମାଣ ପତ୍ର ଅର୍ଥାତ୍ ସାର୍ଟିଫିକେଟଧାରୀ ହିଁ ଭବିଷ୍ୟତରେ ରାଜ୍ୟଭାଗ୍ୟ ଭୋଗ କରିବାର ସାଟିଫିକେଟ୍ ନେବେ । ତେଣୁ ପ୍ରତିଦିନ ଅମୃତବେଳରେ ଏହି ସ୍ଳୋଗାନକୁ ସ୍ମୃତିରେ ଆଣ । ଯେପରି ବୋର୍ଡ ଉପରେ ପ୍ରତିଦିନ ସ୍ନୋଗାନ ଲେଖୁଛ ସେହିପରି ସର୍ବଦା ନିଜର ମସ୍ତକ ରୂପକ ବୋର୍ଡ ଉପରେ ଏହି ସ୍ଲୋଗାନକୁ ଲେଖିଦିଅ ତେବେ ସମସ୍ତେ ସନ୍ତୁଷ୍ଟମୂର୍ତ୍ତି ହୋଇଯିବେ । ଯେଉଁମାନେ ସର୍ବଦା ସନ୍ତୁଷ୍ଟ ଥାନ୍ତି ସେମାନେ ସର୍ବଦା ପ୍ରସନ୍ନ ମଧ୍ୟ ରହିଥାଆନ୍ତି ।

ସ୍ଲୋଗାନ:-
ପରସ୍ପର ମଧ୍ୟରେ ସ୍ନେହ ଏବଂ ସନ୍ତୁଷ୍ଟତା ସମ୍ପନ୍ନ ବ୍ୟବହାର କରୁଥିବା ଆତ୍ମା ହିଁ ସଫଳତାର ମୂର୍ତ୍ତି ହୋଇଯାଆନ୍ତି ।