25.04.20          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:—
ପ୍ରତ୍ୟେକଙ୍କର ନାଡି ଦେଖି ପ୍ରଥମେ ତାଙ୍କୁ ବାବାଙ୍କ ଉପରେ ନିଶ୍ଚୟ କରାଅ ତାପରେ ଆଗକୁ ବଢ ଅର୍ଥାତ୍ ଅଧିକ ବୁଝାଅ, ବାବାଙ୍କ ପ୍ରତି ନିଶ୍ଚୟ ବିନା ଅଧିକ ଜ୍ଞାନ ଦେବା ସମୟ ନଷ୍ଟ କରିବା ସହିତ ସମାନ ।”

ପ୍ରଶ୍ନ:-
କେଉଁ ଏକ ମୁଖ୍ୟ ପୁରୁଷାର୍ଥ ପାଠପଢ଼ାରେ ବୃତ୍ତି ପାଇବାର ଅଧିକାରୀ କରିଦେଇଥାଏ ?

ଉତ୍ତର:-
ଅନ୍ତର୍ମୁଖୀ ହେବାର ପୁରୁଷାର୍ଥ । ତୁମକୁ ବହୁତ ଅନ୍ତମୁର୍ଖୀ ହୋଇ ରହିବାକୁ ପଡିବ । ବାବା ତ କଲ୍ୟାଣକାରୀ ଅଟନ୍ତି । ତୁମମାନଙ୍କର କଲ୍ୟାଣ ପାଇଁ ହିଁ ରାୟ ଦେଉଛନ୍ତି । ଯେଉଁମାନେ ଅନ୍ତର୍ମୁଖୀ ଯୋଗୀ ସନ୍ତାନ ଅଟନ୍ତି ସେମାନେ କେବେହେଲେ ଦେହ-ଅଭିମାନରେ ଆସି ଋଷି ନଥା’ନ୍ତି କି ଲଢେଇ କରିନଥା’ନ୍ତି । ସେମାନଙ୍କର ଚାଲିଚଳଣ ବହୁତ ରାଜକୀୟ ଏବଂ ଉଚ୍ଚକୋଟିର ହୋଇଥାଏ । ସେମାନେ ବହୁତ କମ୍ କଥାବାର୍ତ୍ତା କରନ୍ତି, ଯଜ୍ଞ ସେବାରେ ସେମାନଙ୍କର ବହୁତ ଆଗ୍ରହ ଥାଏ । ସେମାନେ ଅଧିକ ଜ୍ଞାନ ଚର୍ଚ୍ଚା କରନ୍ତି ନାହିଁ, ଯୋଗଯୁକ୍ତ ହୋଇ ସେବା କରିଥା’ନ୍ତି ।

ଓମ୍ ଶାନ୍ତି ।
ପ୍ରାୟତଃ ଏହି କଥା ଦେଖାଯାଉଛି ଯେ ପ୍ରଦର୍ଶନୀରେ ସେବାର ଯେଉଁ ସବୁ ସମାଚାର ଆସୁଛି ସେଥିରେ ବାବାଙ୍କର ପରିଚୟ ଯାହାକି ମୂଳ କଥା ଅଟେ, ତାହା ଉପରେ ସଂପୂର୍ଣ୍ଣ ନିଶ୍ଚୟ ନ କରାଇବା ପର୍ଯ୍ୟନ୍ତ ବାକି ଯାହା କିଛି ବୁଝାଉଛନ୍ତି, ତାହା କାହାର ବୁଦ୍ଧିରେ ବସିବା ମୁସ୍କିଲ୍ ହେଉଛି । ଯଦିଓ ଭଲ-ଭଲ ବୋଲି କହୁଛନ୍ତି କିନ୍ତୁ ବାବାଙ୍କର ପରିଚୟ ପାଇ ନାହାଁନ୍ତି । ପ୍ରଥମେ ତ ବାବାଙ୍କ ପରିଚୟ ଦିଅ । ବାବାଙ୍କର ମହାବାକ୍ୟ ହେଉଛି ମୋତେ ମନେ ପକାଅ, ମୁଁ ହିଁ ପତିତ-ପାବନ ଅଟେ । ମୋତେ ମନେ ପକାଇଲେ ତୁମେ ପତିତରୁ ପବିତ୍ର ହୋଇଯିବ । ଏହା ହେଉଛି ମୁଖ୍ୟ କଥା । ଭଗବାନ ଜଣେ ଅଟନ୍ତି, ସେ ହିଁ ପତିତ-ପାବନ, ଜ୍ଞାନ ଏବଂ ସୁଖର ସାଗର ଅଟନ୍ତି । ସେ ହିଁ ସର୍ବୋଚ୍ଚ ଅଟନ୍ତି । ଏହି ନିଶ୍ଚୟ ହୋଇଗଲେ ପୁଣି ଭକ୍ତିମାର୍ଗରେ ଯେଉଁ ସବୁ ଶାସ୍ତ୍ର, ବେଦ ଅଥବା ଗୀତା ଭାଗବତ ଅଛି, ସେସବୁ ଖଣ୍ଡନ ହୋଇଯିବ । ସ୍ୱୟଂ ଭଗବାନ ତ ନିଜେ କହୁଛନ୍ତି, ମୁଁ ଏହା ଶୁଣାଇ ନାହିଁ । ମୋର ଜ୍ଞାନ ଶାସ୍ତ୍ରରେ ନାହିଁ । ତାହା ହେଉଛି ଭକ୍ତିମାର୍ଗର ଜ୍ଞାନ । ମୁଁ ତ ଜ୍ଞାନ ଦେଇ ସଦ୍ଗତି କରାଇ ଚାଲିଯାଉଛି । ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି । ଯେତେବେଳେ ଜ୍ଞାନର ପ୍ରାରବ୍ଧ ଶେଷ ହୋଇଯାଉଛି ପୁଣି ଭକ୍ତିମାର୍ଗ ଆରମ୍ଭ ହୋଇଯାଉଛି । ଯେବେ ବାବାଙ୍କ ପ୍ରତି ନିଶ୍ଚୟ ଆସିବ ତେବେ ବୁଝିଯିବେ, ଭଗବାନୁବାଚ — ଏହା ଭକ୍ତିମାର୍ଗର ଶାସ୍ତ୍ର ଅଟେ । ଜ୍ଞାନ ଏବଂ ଭକ୍ତି ଅଧା ଅଧା ଚାଲୁଛି । ଭଗବାନ ଯେତେବେଳେ ଆସୁଛନ୍ତି ସେତେବେଳେ ନିଜର ପରିଚୟ ଦେଉଛନ୍ତି — ମୁଁ କହୁଛି ୫ ହଜାର ବର୍ଷର ଗୋଟିଏ କଳ୍ପ ଅଟେ, ମୁଁ ତ ବ୍ରହ୍ମା ମୁଖ ଦ୍ୱାରା ବୁଝାଉଛି । ତେବେ ପ୍ରଥମ ଏବଂ ମୁଖ୍ୟ କଥାକୁ ବୁଦ୍ଧିରେ ଧାରଣ କରାଇବାକୁ ହେବ ଯେ ଭଗବାନ କିଏ ? ଏହି କଥା ଯେପର୍ଯ୍ୟନ୍ତ ବୁଦ୍ଧିରେ ନ ରହିଛି ସେ ପର୍ଯ୍ୟନ୍ତ ଯାହା କିଛି ବୁଝାଇଲେ କିଛି ମଧ୍ୟ ପ୍ରଭାବ ପଡିବ ନାହିଁ । ସବୁ ମେହନତ ହିଁ ଏହି କଥା ଉପରେ ରହିଛି । ବାବା ଆସୁଛନ୍ତି ହିଁ କବରରୁ ଜାଗ୍ରତ କରାଇବା ପାଇଁ । ତେବେ ଶାସ୍ତ୍ର ଆଦି ପଢ଼ିବା ଦ୍ୱାରା ତ କେହି ବି ଜାଗ୍ରତ ହେବେ ନାହିଁ । ପରମ ଆତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି ତେଣୁ ତାଙ୍କର ସନ୍ତାନ (ଆତ୍ମା)ମାନେ ମଧ୍ୟ ଜ୍ୟୋତି ସ୍ୱରୂପ ଅଟନ୍ତି । କିନ୍ତୁ ତୁମ ପିଲାମାନଙ୍କର ଆତ୍ମା ପତିତ ହୋଇଯାଇଛି, ଯେଉଁ କାରଣରୁ ଜ୍ୟୋତି ଲିଭିଯାଇଛି । ଆତ୍ମା ତମୋପ୍ରଧାନ ହୋଇଯାଇଛି । ପ୍ରଥମେ-ପ୍ରଥମେ ବାବାଙ୍କ ପରିଚୟ ଦେଉ ନାହାନ୍ତି ତେଣୁ ଯାହା କିଛି ବି ମେହନତ କରୁଛନ୍ତି, ମତାମତ ଆଦି ଲେଖାଉଛନ୍ତି ତାହା କୌଣସି କାମକୁ ନୁହେଁ ସେଥିପାଇଁ ସେବା ହେଉନାହିଁ । ଯେତେବେଳେ ନିଶ୍ଚୟ ହୋଇଯିବ ସେତେବେଳେ ବୁଝିଯିବେ ଯେ, ବାସ୍ତବରେ ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ଜ୍ଞାନ ଦେଉଛନ୍ତି । ଲୋକମାନେ ବ୍ରହ୍ମାଙ୍କୁ ଦେଖି କେତେ ଦ୍ୱନ୍ଦରେ ପଡୁଛନ୍ତି କାହିଁକି ନା ବାବାଙ୍କର ପରିଚୟ ନାହିଁ । ତୁମେ ସମସ୍ତେ ଜାଣିଛ ଯେ ଭକ୍ତିମାର୍ଗ ଏବେ ଶେଷ ହେବାକୁ ଯାଉଛି । କଳିଯୁଗରେ ଭକ୍ତିମାର୍ଗ ରହିଛି ଏବଂ ଏବେ ସଂଗମଯୁଗରେ ଜ୍ଞାନମାର୍ଗ । ଆମେ ସଂଗମଯୁଗୀ ଅଟୁ । ରାଜଯୋଗ ଶିଖୁଛୁ, ନୂଆ ଦୁନିଆ ପାଇଁ ଦୈବୀଗୁଣ ଧାରଣ କରୁଛୁ । ଯେଉଁମାନେ ସଂଗମଯୁଗରେ ନାହାଁନ୍ତି ସେମାନେ ଦିନକୁ ଦିନ ତମୋପ୍ରଧାନ ହୋଇ ଚାଲିଛନ୍ତି । ଗୋଟିଏ ପାର୍ଶ୍ଵରେ ତମୋପ୍ରଧାନତା ବଢିଚାଲିଛି ଏବଂ ଅନ୍ୟ ପାର୍ଶ୍ଵରେ ସଂଗମଯୁଗ ଶେଷ ହେବାକୁ ଯାଉଛି । ତେବେ ଏସବୁ ବୁଝିବାର କଥା ନା । କିନ୍ତୁ ବୁଝାଇବାବାଲା ମଧ୍ୟ କ୍ରମାନୁସାରେ ଅଛନ୍ତି । ବାବା ପ୍ରତିଦିନ ପୁରୁଷାର୍ଥ କରାଉଛନ୍ତି । ନିଶ୍ଚୟବୁଦ୍ଧି ବିଜୟନ୍ତୀ ଅର୍ଥାତ୍ ବିଜୟୀ ହୋଇଥା’ନ୍ତି । ପିଲାମାନଙ୍କର ତିକ୍ତିକ୍ କରିବାର ଅର୍ଥାତ୍ ଅଧିକ ଜ୍ଞାନ ଶୁଣାଇବାର ଅଭ୍ୟାସ ବହୁତ ରହିଛି । ସେମାନେ ବାବାଙ୍କୁ ବିଲ୍କୁଲ୍ ମନେପକାଉ ହିଁ ନାହାଁନ୍ତି । ତାଙ୍କ ପାଇଁ ମନେପକାଇବା ବହୁତ କଷ୍ଟକର ହେଉଛି । ବାବାଙ୍କ ସ୍ମୃତିରେ ରହିବା ଛାଡି ନିଜର ହିଁ ତିକ୍ତିକ୍ ଶୁଣାଇ ଚାଲିଛନ୍ତି । ବାବାଙ୍କ ଉପରେ ନିଶ୍ଚୟ ବିନା ଅନ୍ୟ ଚିତ୍ର ଆଡକୁ ବଢିବା ଅନୁଚିତ୍ । ନିଶ୍ଚୟ ନଥିଲେ କିଛି ମଧ୍ୟ ବୁଝିବେ ନାହିଁ । ବାବାଙ୍କ ପ୍ରତି ନିଶ୍ଚୟ ନଥିଲେ ବାକି ବାଦଶାହୀର ଜ୍ଞାନ ବୁଝାଇବା ଅର୍ଥ ସମୟ ନଷ୍ଟ କରିବା । କାହାରି ନାଡି ଅର୍ଥାତ୍ ଲକ୍ଷଣକୁ ଜାଣି ପାରୁନାହାନ୍ତି, ଯିଏ ଉଦ୍ଘାଟନ କରୁଛନ୍ତି ତାଙ୍କୁ ମଧ୍ୟ ପ୍ରଥମେ ବାବାଙ୍କ ପରିଚୟ ଦେବାକୁ ହେବ । ଇଏ ହେଲେ ସର୍ବୋଚ୍ଚ ପିତା ଯିଏକି ଜ୍ଞାନର ସାଗର । ବାବା ଏହି ଜ୍ଞାନ ବର୍ତ୍ତମାନ ହିଁ ଦେଉଛନ୍ତି । ସତ୍ୟଯୁଗରେ ଏହି ଜ୍ଞାନର ଆବଶ୍ୟକତା ରହିବ ନାହିଁ । ଭକ୍ତି ପରେ ଆରମ୍ଭ ହେଉଛି । ବାବା କହୁଛନ୍ତି ଯେତେବେଳେ ଦୁର୍ଗତି ଅର୍ଥାତ୍ ମୋର ନିନ୍ଦା କରିବା ଶେଷ ହେବାର ସମୟ ହେଉଛି ସେତେବେଳେ ମୁଁ ଆସୁଛି । ଅଧାକଳ୍ପ ସେମାନେ ନିନ୍ଦା ନିଶ୍ଚିତ କରିବେ, ଯାହାଙ୍କର ମଧ୍ୟ ପୂଜା କରୁଛନ୍ତି, ସେମାନଙ୍କର କର୍ତ୍ତବ୍ୟ ବିଷୟରେ ଜାଣିନାହାଁନ୍ତି । ତୁମେ ପିଲାମାନେ ବସି ବୁଝାଉଛ କିନ୍ତୁ ନିଜର ହିଁ ବାବାଙ୍କ ସହିତ ଯୋଗ ନାହିଁ ତେବେ ଅନ୍ୟମାନଙ୍କୁ କ’ଣ ବୁଝାଇପାରିବ । ଯଦିଓ ଶିବବାବା କହୁଛନ୍ତି କିନ୍ତୁ ଯୋଗଯୁକ୍ତ ହୋଇ ବିଲ୍କୁଲ୍ ରହୁନାହାଁନ୍ତି ତେଣୁ ବିକର୍ମ ମଧ୍ୟ ବିନାଶ ହେଉ ନାହିଁ, ଧାରଣ ମଧ୍ୟ ହେଉନାହିଁ । ମୁଖ୍ୟ କଥା ହେଉଛି ଏକମାତ୍ର ବାବାଙ୍କୁ ମନେପକାଇବା ।

ଯେଉଁ ସନ୍ତାନମାନେ ଜ୍ଞାନୀ ଆତ୍ମା ସହିତ ଯୋଗୀ ହେଉନାହାଁନ୍ତି, ସେମାନଙ୍କ ମଧ୍ୟରେ ଦେହ-ଅଭିମାନର ଅଂଶ ନିଶ୍ଚୟ ରହିବ । ଯୋଗ ବିନା ଜ୍ଞାନ ବୁଝାଇବା କୌଣସି କାମର ନୁହେଁ । ପୁଣି ଦେହ-ଅଭିମାନରେ ଆସି କାହାକୁ ନା କାହାକୁ ହଇରାଣ କରିଥା’ନ୍ତି । ପିଲାମାନେ ଯଦି ଭାଷଣ ଭଲ କରୁଛନ୍ତି ତେବେ ଭାବୁଛନ୍ତି ଆମେ ଜ୍ଞାନୀ ଆତ୍ମା ଅଟୁ । ବାବା କହୁଛନ୍ତି ଜ୍ଞାନୀ ଆତ୍ମା ତ ଅଟ କିନ୍ତୁ ଯୋଗ କମ୍ ଅଛି, ଯୋଗ ଉପରେ ପୁରୁଷାର୍ଥ ବହୁତ କମ୍ ରହିଛି । ବାବା କେତେ ବୁଝାଉଛନ୍ତି, କହୁଛନ୍ତି ନିଜର ଚାର୍ଟ ରଖ । ମୁଖ୍ୟ କଥା ହେଉଛି ଯୋଗ । ପିଲାମାନଙ୍କ ପାଖରେ ଜ୍ଞାନ ବୁଝାଇବାର ସଉକ ତ ଅଛି କିନ୍ତୁ ଯୋଗ ନାହିଁ । ତେବେ ଯୋଗ ବିନା ବିକର୍ମ ବିନାଶ ହେବ ନାହିଁ ପୁଣି ପଦ କ’ଣ ପାଇବ! ଯୋଗରେ ତ ବହୁତ ସନ୍ତାନ ଫେଲ ହେଉଛନ୍ତି । ଭାବୁଛନ୍ତି ମୋର ୧୦୦ ଶତକଡା ଯୋଗ ଅଛି । କିନ୍ତୁ ବାବା କହୁଛନ୍ତି ୨(ଦୁଇ)ଶତକଡା ଯୋଗ ଅଛି । ବାବା (ବ୍ରହ୍ମାବାବା)ନିଜେ କହୁଛନ୍ତି ଭୋଜନ ଖାଇବା ସମୟରେ ସ୍ମୃତିରେ ରହୁଛି, ପୁଣି ଭୁଲିଯାଉଛି । ସ୍ନାନ କରିବା ସମୟରେ ମଧ୍ୟ ବାବାଙ୍କୁ ମନେପକାଉଛି । ଯଦିଓ ତାଙ୍କର ସନ୍ତାନ ତଥାପି ମଧ୍ୟ ତାଙ୍କ ସ୍ମୃତିରେ ରହିବାକୁ ଭୁଲିଯାଉଛି । ତୁମେ ଭାବୁଛ ଇଏ ତ ନମ୍ବର ୱାନରେ ଯିବେ, ତେବେ ନିଶ୍ଚିତ ଭାବରେ ତାଙ୍କର ଜ୍ଞାନ ଏବଂ ଯୋଗ ଠିକ୍ ଥିବ । ତଥାପି ମଧ୍ୟ ବାବା କହୁଛନ୍ତି ଯୋଗରେ ବହୁତ ମେହନତ କରିବାକୁ ପଡିବ । ଅଭ୍ୟାସ କରି ଦେଖ ପୁଣି ଅନୁଭବ ଶୁଣାଅ । ଧରିନିଅ ଦର୍ଜି ଯଦି କପଡା ସିଲେଇ କରୁଛି ତେବେ ଦେଖିବା ଦରକାର ବାବାଙ୍କ ସ୍ମୃତିରେ ରହୁଛି । ସିଏ ତ ବହୁତ ମିଠା ପ୍ରେମିକ ଅଟନ୍ତି । ତାଙ୍କୁ ଯେତେ ମନେପକାଇବ ସେତେ ଆମର ବିକର୍ମ ବିନାଶ ହେବ, ଆମେ ସତ୍ତ୍ୱପ୍ରଧାନ ହୋଇଯିବା । ତେଣୁ ନିଜକୁ ଦେଖ ମୁଁ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛି । ବାବାଙ୍କୁ ଫଳାଫଳ ଜଣାଇବା ଉଚିତ୍ । ବାବାଙ୍କ ସ୍ମୃତିରେ ରହିଲେ ହିଁ କଲ୍ୟାଣ ହେବ । ବାକି ଅଧିକ ବୁଝାଇଲେ କୌଣସି କଲ୍ୟାଣ ହେବ ନାହିଁ । କାରଣ କିଛି ହେଲେ ବୁଝନ୍ତି ନାହିଁ । ଅଲଫ ଅର୍ଥାତ୍ ବାବା ବିନା କାମ କିପରି ଚାଲିବ ? ଅଲଫ ବିଷୟରେ ତ ଜାଣିନାହାଁନ୍ତି ବାକି ତ ବିନ୍ଦୁ, ବିନ୍ଦୁ ହୋଇଯାଉଛି । ଅଲଫ ସହିତ ବିନ୍ଦୁ ଦେବା (ଅଧିକ ବୁଝାଇବା) ଦ୍ୱାରା ଫାଇଦା ହୋଇଥାଏ । ଯୋଗ ନଥିଲେ ସାରା ଦିନ ସମୟ ନଷ୍ଟ କରିଥାନ୍ତି । ବାବାଙ୍କର ତ ଦୟା ଆସୁଛି, ଇଏ କ’ଣ ପଦ ପାଇବେ । ଭାଗ୍ୟରେ ନଥିଲେ ବାବା ମଧ୍ୟ କ’ଣ କରିବେ । ବାବା ତ ବାରମ୍ବାର ବୁଝାଉଛନ୍ତି — ଦୈବୀଗୁଣ ଧାରଣ କର, ବାବାଙ୍କ ସ୍ମୃତିରେ ରୁହ । ତାଙ୍କୁ ମନେପକାଇବା ବହୁତ ଜରୁରୀ । ଯଦି ଯୋଗ ପ୍ରତି ସ୍ନେହ ଥିବ ତେବେ ଯାଇ ଶ୍ରୀମତରେ ଚାଲିପାରିବ । ପ୍ରଜା ତ ଢେର ହେବେ । ତୁମେ ଏଠାକୁ ଆସିଛ — ଏହିପରି ଲକ୍ଷ୍ମୀ-ନାରାୟଣ ହେବା ପାଇଁ, ଏଥିରେ ବହୁତ ମେହନତ କରିବାକୁ ପଡିବ । ଯଦିଓ ସ୍ୱର୍ଗକୁ ଯିବ କିନ୍ତୁ ଦଣ୍ଡ ଭୋଗ କରି ପଛରେ ଯାଇ କମ୍ ପଦ ପାଇବ । ବାବା ତ ସବୁ ପିଲାମାନଙ୍କୁ ଜାଣିଛନ୍ତି ନା । ଯେଉଁ ସନ୍ତାନମାନେ ଯୋଗରେ ଦୁର୍ବଳ, ସେମାନେ ଦେହ-ଅଭିମାନରେ ଆସି ଋଷିଥା’ନ୍ତି ଏବଂ ଲଢେଇ-ଝଗଡା କରିଥା’ନ୍ତି । ଯେଉଁମାନେ ପକ୍କା ଯୋଗୀ, ତାଙ୍କର ଚଳଣି ବହୁତ ରାଜକୀୟ ଏବଂ ଉଚ୍ଚକୋଟିର ହେବ, ବହୁତ କମ୍ କଥା କହିବେ । ଯଜ୍ଞ ସେବାରେ ମଧ୍ୟ ରୁଚି (ଆଗ୍ରହ) ରଖିବେ । ଯଜ୍ଞ ସେବାରେ ନିଜର ହାଡ ମଧ୍ୟ ସ୍ୱାହା ହୋଇଯାଉ । ଏହିପରି ମଧ୍ୟ କେତେ ଜଣ ଅଛନ୍ତି । କିନ୍ତୁ ବାବା କହୁଛନ୍ତି ୟାଦରେ ଅଧିକରୁ ଅଧିକ ଯୋଗଯୁକ୍ତ ହୋଇ ରୁହ ତେବେ ବାବାଙ୍କ ସହିତ ସ୍ନେହ ରହିବ ଏବଂ ଖୁସିରେ ମଧ୍ୟ ରହିବ ।

ବାବା କହୁଛନ୍ତି ମୁଁ ଭାରତ ଖଣ୍ଡରେ ହିଁ ଆସୁଛି । ଭାରତକୁ ହିଁ ଆସି ଉଚ୍ଚ କରାଉଛି । ସତ୍ୟଯୁଗରେ ତୁମେ ବିଶ୍ୱର ମାଲିକ ଥିଲ, ସଦଗତିରେ ଥିଲ ପୁଣି ତୁମର ଦୁର୍ଗତି କିଏ କରିଲା ? ରାବଣ ରାଜ୍ୟ କେବେ ଆରମ୍ଭ ହେଲା ? ଦ୍ୱାପରରୁ । ଗୋଟିଏ ସେକେଣ୍ଡରେ ଅଧାକଳ୍ପ ପାଇଁ ସଦ୍ଗତି ପାଉଛ, ୨୧ ଜନ୍ମ ପାଇଁ ବର୍ସା ନେଉଛ । ତେଣୁ ଯେତେବେଳେ କେହି ଭଲ ଲୋକ ଆସୁଛନ୍ତି ତେବେ ପ୍ରଥମେ-ପ୍ରଥମେ ତାଙ୍କୁ ବାବାଙ୍କର ପରିଚୟ ଦିଅ । ବାବା କହୁଛନ୍ତି — ପିଲାମାନେ, ଏହି ଜ୍ଞାନ ଦ୍ୱାରା ହିଁ ତୁମର ସଦ୍ଗତି ହେବ । ତୁମେ ଜାଣିଛ ଏହି ଡ୍ରାମା ସେକେଣ୍ଡ- ସେକେଣ୍ଡ ଅତିକ୍ରାନ୍ତ ହୋଇ ଚାଲୁଛି, ଏହି କଥା ବୁଦ୍ଧିରେ ମନେ ରହିଲେ ମଧ୍ୟ ତୁମେ ଭଲ ଭାବରେ ସ୍ଥିର ରହିପାରିବ । ଏଠାରେ ବସିଥିଲେ ମଧ୍ୟ ବୁଦ୍ଧିରେ ରହୁ ଯେ ଏହି ସୃଷ୍ଟି ଚକ୍ର ଉକୁଣୀ ସଦୃଶ କିପରି ଧିରେ ଧିରେ ଘୂରିଚାଲିଛି । ସେକେଣ୍ଡ-ସେକେଣ୍ଡ ଟିକ୍ଟିକ୍ ହୋଇଚାଲିଛି । ଡ୍ରାମା ଅନୁସାରେ ହିଁ ସାରା ପାର୍ଟ ଚାଲୁଛି । ଗୋଟିଏ ସେକେଣ୍ଡ ଅତିକ୍ରାନ୍ତ ହେଲା ଖତମ୍ । ଅଭିନୟ ହୋଇ ଚାଲିଛି । ବହୁତ ଧିରେ-ଧିରେ ଚାଲୁଛି । ଏହା ହେଉଛି ବେହଦର ଡ୍ରାମା । ବୟସ୍କ ବ୍ୟକ୍ତି କିମ୍ବା ବୃଦ୍ଧ ବ୍ୟକ୍ତି ଆଦି ଯେଉଁମାନେ ଅଛନ୍ତି ତାଙ୍କ ବୁଦ୍ଧିରେ ଏହିସବୁ କଥା ରହିପାରିବ ନାହିଁ । ଜ୍ଞାନ ମଧ୍ୟ ଧାରଣା ହୋଇପାରିବ ନାହିଁ । ଯୋଗ ମଧ୍ୟ ନାହିଁ ତଥାପି ସନ୍ତାନ ତ ଅଟନ୍ତି ନା । ହଁ, ସେବାଧାରୀମାନଙ୍କର ପଦ ଉଚ୍ଚ ହୋଇଥାଏ । ବାକି ସମସ୍ତଙ୍କର ପଦ କମ୍ ହେବ । ଏହି ଖିଆଲ ପକ୍କା କରିଦିଅ । ଏହା ବେହଦର ଡ୍ରାମା ଅଟେ, ଚକ୍ର ଘୂରିଚାଲିଛି । ଯେପରି ରେକର୍ଡ ଘୂରି ଚାଲିଥାଏ ନା । ଆମ ଆତ୍ମାରେ ମଧ୍ୟ ସେହିପରି ରେକର୍ଡ ଭରି ରହିଛି । ଏତେ ଛୋଟ ଆତ୍ମାରେ ଏତେ ସବୁ ପାର୍ଟ ଭରି ରହିଛି, ଏହାକୁ ହିଁ କୁଦରତ ଅର୍ଥାତ୍ ପ୍ରକୃତି ବୋଲି କୁହାଯାଉଛି । କିଛି ହେଲେ ମଧ୍ୟ ଦେଖାଯାଉ ନାହିଁ । ଏହା ବୁଦ୍ଧିର କଥା ଅଟେ । ଯାହାର ବୁଦ୍ଧି ମୋଟା ହୋଇଥିବ ସିଏ ଏକଥା ବୁଝିପାରିବେ ନାହିଁ । ଏଥିରେ ଆମେ ଯାହା କିଛି କହିଯାଉଛୁ, ସମୟ ଅତିକ୍ରାନ୍ତ ହୋଇ ଚାଲିଛି ତାହା ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ । ଏପରି ବୁଦ୍ଧି କାହା ପାଖରେ ନାହିଁ । ଯେଉଁମାନେ ମହାରଥୀ ହୋଇଥିବେ ସେମାନେ ଘଡ଼ିକୁ ଘଡ଼ି ଏହି କଥା ଉପରେ ଧ୍ୟାନ ଦେଇ ବୁଝାଇ ଚାଲିବେ ସେଥିପାଇଁ ବାବା କହୁଛନ୍ତି ପ୍ରଥମେ-ପ୍ରଥମେ ଏହି କଥାକୁ ଗଣ୍ଠି ପକାଅ ଅର୍ଥାତ୍ ଦୃଢ଼ ସଂକଳ୍ପ କରିନିଅ ଯେ - ମୁଁ ବାବାଙ୍କୁ ମନେପକାଇବି । ବାବା କହୁଛନ୍ତି ମୋତେ ମନେପକାଅ । ଆତ୍ମାକୁ ଏବେ ଘରକୁ ଯିବାକୁ ହେବ । ତେଣୁ ଦେହର ସବୁ ସମ୍ବନ୍ଧ ଛାଡ଼ିବାକୁ ପଡ଼ିବ । ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇଚାଲ । ଏହି ପୁରୁଷାର୍ଥ ଗୁପ୍ତ ଅଟେ । ବାବା ରାୟ ଦେଉଛନ୍ତି, ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ । କମ୍ ଯୋଗ କରୁଥିବାରୁ ପରିଚୟ ମଧ୍ୟ କମ୍ ଦେଉଛନ୍ତି । ପ୍ରଥମେ ତ ବାବାଙ୍କର ପରିଚୟ ବୁଦ୍ଧିରେ ରହିବା ଉଚିତ୍ । କୁହ, ଏବେ ଲେଖ ବାସ୍ତବରେ ସେ ଆମର ପିତା ଅଟନ୍ତି । ତେଣୁ ଦେହ ସହିତ ସବୁ କିଛି ଛାଡ଼ି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଯୋଗବଳ ଦ୍ୱାରା ହିଁ ତୁମେ ତମୋପ୍ରଧାନରୁ ସତ୍ତ୍ୱୋପ୍ରଧାନ ହେବ । ମୁକ୍ତିଧାମ, ଜୀବନମୁକ୍ତିଧାମରେ ତ ଦୁଃଖ-କଷ୍ଟ କିଛି ବି ନଥାଏ । ବାବା ଦିନକୁ ଦିନ ବହୁତ ଭଲକଥା ବୁଝାଉଛନ୍ତି । ପରସ୍ପର ସହିତ ମଧ୍ୟ ଏହି ସବୁ କଥାବାର୍ତ୍ତା ହୁଅ । ଯୋଗ୍ୟ ମଧ୍ୟ ହେବା ଦରକାର ନା । ବ୍ରାହ୍ମଣ ହୋଇ ଯଦି ବାବାଙ୍କର ସେବା ନକରିବ ତେବେ ତୁମେ କେଉଁ କାମର । ପାଠପଢାକୁ ତ ଭଲ ଭାବରେ ଧାରଣ କରିବା ଦରକାର ନା । ବାବା ଜାଣିଛନ୍ତି ବହୁତ ଅଛନ୍ତି ଯାହାଙ୍କର ଗୋଟିଏ ଅକ୍ଷର ମଧ୍ୟ ଧାରଣ ହେଉନାହିଁ । ଯଥାର୍ଥ ରୀତି ବାବାଙ୍କୁ ସ୍ମରଣ କରୁନାହାଁନ୍ତି । ତେବେ ରାଜା-ରାଣୀଙ୍କ ପଦ ପାଇବା ପାଇଁ ମେହନତ କରିବାକୁ ହେବ ନା । ଯିଏ ମେହନତ କରିବେ ସିଏ ଉଚ୍ଚ ପଦ ପାଇବେ । ପରିଶ୍ରମ କଲେ ଯାଇ ରାଜପଦ ପାଇ ପାରିବ । ପ୍ରଥମ ନମ୍ବରରେ ରହିଲେ ହିଁ ବୃତ୍ତି ମିଳିବ । ଏହି ଲକ୍ଷ୍ମୀ-ନାରାୟଣ ବୃତ୍ତି ନେଇଛନ୍ତି । ଆଉ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ଏହା ବହୁତ ବଡ ପରୀକ୍ଷା ଅଟେ ନା । ଯେଉଁମାନେ ବୃତ୍ତି ପାଇବେ ତାଙ୍କର ହିଁ ମାଳା ତିଆରି ହୋଇଛି । ୮ ରତ୍ନ ଅଛନ୍ତି ନା । ୮ ଅଛନ୍ତି, ପୁଣି ୧୦୦, ପୁଣି ଅଛନ୍ତି ୧୬ ହଜାର । ତେଣୁ ମାଳାରେ ଗୁନ୍ଥା ହେବା ପାଇଁ କେତେ ପୁରୁଷାର୍ଥ କରିବା ଉଚିତ୍ । ଅନ୍ତର୍ମୁଖୀ ହୋଇ ରହିବାର ପୁରୁଷାର୍ଥ କରିବା ଦ୍ୱାରା ବୃତ୍ତି ନେବାର ଅଧିକାରୀ ହୋଇଯିବ । ତୁମକୁ ବହୁତ ଅର୍ନ୍ତମୁଖୀ ହୋଇ ରହିବାକୁ ପଡିବ । ବାବା ତ କଲ୍ୟାଣକାରୀ ଅଟନ୍ତି । ତେଣୁ କଲ୍ୟାଣ ନିମନ୍ତେ ହିଁ ରାୟ ଦେଉଛନ୍ତି । କଲ୍ୟାଣ ତ ସାରା ଦୁନିଆର ହେବ । କିନ୍ତୁ କ୍ରମାନ୍ୱୟରେ ହେବ । ତୁମେ ଏଠାରେ ବାବାଙ୍କ ପାଖକୁ ପଢିବାକୁ ଆସିଛ । ତୁମମାନଙ୍କ ମଧ୍ୟରେ ବି ସେହି ଛାତ୍ରମାନେ ଭଲ ଯେଉଁମାନେ ପାଠପଢା ଉପରେ ଧ୍ୟାନ ଦେଇଥାନ୍ତି । କେହି-କେହି ତ ବିଲକୁଲ୍ ଧ୍ୟାନ ଦେଉନାହାଁନ୍ତି । ଏପରି ମଧ୍ୟ ବହୁତ ଭାବୁଛନ୍ତି ଯାହା ଭାଗ୍ୟରେ ଥିବ । ପାଠପଢାର ଲକ୍ଷ୍ୟ ହିଁ ନାହିଁ । ତେଣୁ ପିଲାମାନେ ଯୋଗର ଚାର୍ଟ ରଖିବା ଉଚିତ୍ । ଆମକୁ ଏବେ ଘରକୁ ଫେରିଯିବାକୁ ହେବ । ଜ୍ଞାନ ତ ଏହିଠାରେ ହିଁ ଛାଡି ଚାଲିଯିବା । ଜ୍ଞାନର ଅଭିନୟ ଶେଷ ହୋଇଯିବ । ଆତ୍ମା କେତେ ଛୋଟ, ସେଥିରେ କେତେ ପାର୍ଟ ରହିଛି, ଆଶ୍ଚର୍ଯ୍ୟ ଅଟେ ନା । ଏସବୁ ଅବିନାଶୀ ଡ୍ରାମା ଅଟେ । ଏହିପରି ତୁମେ ଅର୍ନ୍ତମୁଖୀ ହୋଇ ନିଜ ସହିତ କଥା ହୋଇଚାଲ ତେବେ ତୁମକୁ ବହୁତ ଖୁସି ମିଳିବ ଯେ ବାବା ଆସି ଏପରି କଥା ଶୁଣାଉଛନ୍ତି - ଆତ୍ମା କେବେ ବିନାଶ ହେବ ନାହିଁ । ଡ୍ରାମାରେ ଗୋଟି-ଗୋଟି ମନୁଷ୍ୟଙ୍କର, ଗୋଟିଏ-ଗୋଟିଏ ଜିନିଷର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଏହାକୁ ସୀମାହୀନ ମଧ୍ୟ କୁହାଯିବ ନାହିଁ । ଅନ୍ତ(ସୀମା) ତ ପାଇଛ କିନ୍ତୁ ଏହା ହେଉଛି ଅନାଦି । କେତେ ଜିନିଷ ରହିଛି । ଏହାକୁ କୁଦରତ ଅର୍ଥାତ୍ ପ୍ରକୃତି ବୋଲି କହିବା! ଈଶ୍ୱରଙ୍କ କୁଦରତ ମଧ୍ୟ କୁହାଯିବ ନାହିଁ । ସେ କହୁଛନ୍ତି ମୋର ମଧ୍ୟ ଏଥିରେ ପାର୍ଟ ରହିଛି । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗରେ ବହୁତ କଷ୍ଟ କରିବାକୁ ହେବ, ଉଦ୍ୟମ କରି ଦେଖିବାକୁ ହେବ ଯେ କର୍ମ କଲାବେଳେ କେତେ ସମୟ ବାବାଙ୍କର ସ୍ମୃତି ରହୁଛି । ଯୋଗଯୁକ୍ତ ହୋଇ ରହିବାରେ ହିଁ କଲ୍ୟାଣ ରହିଛି, ମିଠା ପ୍ରେମିକଙ୍କୁ ବହୁତ ସ୍ନେହରେ ସ୍ମରଣ କରିବାକୁ ହେବ, ଯୋଗର ଚାର୍ଟ ରଖିବାକୁ ହେବ ।

(୨) ସୂକ୍ଷ୍ମ ବୁଦ୍ଧି ଦ୍ୱାରା ଏହି ଡ୍ରାମାର ରହସ୍ୟକୁ ବୁଝିବାକୁ ହେବ । ଏହା ବହୁତ-ବହୁତ କଲ୍ୟାଣକାରୀ ଡ୍ରାମା ଅଟେ, ଆମେ ଯାହା କିଛି କହୁଛୁ ଅଥବା କରୁଛୁ ତାହା ପୁଣି ୫ ହଜାର ବର୍ଷ ପରେ ପୁନରାବୃତ୍ତି ହେବ, ଏହାକୁ ଯଥାର୍ଥ ଭାବରେ ବୁଝି ଖୁସିରେ ରହିବାକୁ ହେବ ।

ବରଦାନ:-
ପରସ୍ପର ମଧ୍ୟରେ ସ୍ନେହର ଆଦାନ ପ୍ରଦାନ ଦ୍ୱାରା ସମସ୍ତଙ୍କୁ ସହଯୋଗୀ କରୁଥିବା ସଫଳତାମୂରତ ହୁଅ ।

ବର୍ତ୍ତମାନ ଜ୍ଞାନର ଆଦାନ ପ୍ରଦାନ କରିବାର ସମୟ ବିତିଗଲାଣି, ଏବେ ସ୍ନେହର ଆଦାନ ପ୍ରଦାନ କର । ଯିଏବି ତୁମ ସମ୍ମୁଖକୁ ଆସୁଛି ବା ସମ୍ପର୍କରେ ଆସୁଛି ତାକୁ ସ୍ନେହ ଦିଅ ଏବଂ ତା’ଠାରୁ ସ୍ନେହ ନିଅ - ଏହାକୁ ହିଁ କୁହାଯାଏ ସମସ୍ତଙ୍କର ସ୍ନେହୀ ବା ଗେହ୍ଲା ହେବା । ଜ୍ଞାନର ଦାନ ତ’ ଅଜ୍ଞାନୀମାନଙ୍କୁ କରିବାକୁ ହେବ କିନ୍ତୁ ବ୍ରାହ୍ମଣ ପରିବାର ମଧ୍ୟରେ ଏହି ଦାନର ମହାଦାନୀ ହୁଅ । ସଂକଳ୍ପରେ ମଧ୍ୟ କାହା ପ୍ରତି ସ୍ନେହ ବ୍ୟତୀତ ଅନ୍ୟ କୌଣସି ସଂକଳ୍ପ ଉତ୍ପନ୍ନ ନହେଉ । ଯେତେବେଳେ ସମସ୍ତଙ୍କ ପ୍ରତି ସ୍ନେହର ଭାବନା ଆସିଯାଏ ସେତେବେଳେ ସ୍ନେହର ପ୍ରତିଦାନ ରୂପରେ ସହଯୋଗ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତଙ୍କର ସହଯୋଗର ଫଳ ସ୍ୱରୂପ ସଫଳତା ପ୍ରାପ୍ତ ହୁଏ ।

ସ୍ଲୋଗାନ:-
ଗୋଟିଏ ସେକେଣ୍ଡରେ ବ୍ୟର୍ଥ ସଂକଳ୍ପକୁ ଫୁଲ୍ଷ୍ଟପ୍ ଅର୍ଥାତ୍ ବିନ୍ଦୁ ଲଗାଇଦିଅ - ଏହା ହିଁ ତୀବ୍ର ପୁରୁଷାର୍ଥ ଅଟେ ।