11.04.21    Avyakt Bapdada     Odia Murli     10.12.87     Om Shanti     Madhuban


“ଶରୀର, ମନ, ଧନ ଏବଂ ସମ୍ବନ୍ଧର ଶ୍ରେଷ୍ଠ ସଉଦା”


ଆଜି ସର୍ବ ସମ୍ପତ୍ତିର ସାଗର ରତ୍ନାକର ପିତା ନିଜର ସନ୍ତାନମାନଙ୍କୁ ଦେଖି ମୁରୁକି ମୁରୁକି ହସୁଛନ୍ତି ଏବଂ ଦେଖୁଛନ୍ତି ଯେ ସର୍ବ ସମ୍ପତ୍ତିର ରତ୍ନାକର ପିତାଙ୍କର ସୌଦାଗର ସନ୍ତାନମାନେ ଅର୍ଥାତ୍ ସଉଦା କରୁଥିବା ପିଲାମାନେ କିଏ କିଏ ଅଛନ୍ତି ଏବଂ କାହାଠାରୁ ସଉଦା କରୁଛନ୍ତି? ସମସ୍ତଙ୍କୁ ପରମାତ୍ମାଙ୍କର ସଉଦା ଦେଉଥିବା ଏବଂ ପରମାତ୍ମାଙ୍କଠାରୁ ସଉଦା କରୁଥିବା ଚେହେରା ଗୁଡିକ କେତେ ସରଳ କିନ୍ତୁ ସେମାନେ କେତେ ବଡ ସଉଦା କରିଛନ୍ତି! ଏମାନେ ଏତେ ବଡ ସଉଦା କରିଥିବା ସୌଦାଗର ଆତ୍ମା - ଏକଥା ଦୁନିଆର ଲୋକମାନେ ବୁଝିପାରିବେ ନାହିଁ । ସେମାନେ ଯେଉଁ ଆତ୍ମାମାନଙ୍କୁ, ନିରାଶ, ଦରିଦ୍ର, ଅସମ୍ଭବ ମନେକରି ଆଡେଇ ଦେଇଛନ୍ତି ଏବଂ ଭାବୁଛନ୍ତି ଏହି ସାଧାରଣ ମାତା-କନ୍ୟାମାନେ ପରମାତ୍ମ ପ୍ରାପ୍ତିର ଅଧିକାରୀ କ’ଣ ବା ହେବେ? କିନ୍ତୁ ବାବା ଆସି ସର୍ବ ପ୍ରଥମେ ମାତା କନ୍ୟାମାନଙ୍କୁ ହିଁ ଏତେ ବଡ ସଉଦା କରିବାର ଶ୍ରେଷ୍ଠ ଆସାମୀ ଅର୍ଥାତ୍ ପାତ୍ର କରିଦେଲେ । ଜ୍ଞାନର କଳସ ପ୍ରଥମେ ମାତା କନ୍ୟାମାନଙ୍କ ଉପରେ ହିଁ ରଖିଲେ । ଗରୀବ କନ୍ୟା ଜଗଦମ୍ବାଙ୍କୁ ଯଜ୍ଞର ନିମିତ୍ତ କରି ଯଜ୍ଞ ମାତା ରୂପରେ ପରିଚିତ କରାଇଲେ । ମାତାମାନଙ୍କ ନିକଟରେ ପୁଣି ବି କିଛି ନା କିଛି ନିଜସ୍ୱ ଧନ ଲୁଚି-ଛପି ରହିଥାଏ କିନ୍ତୁ କନ୍ୟାମାନେ ମାତାମାନଙ୍କ ଠାରୁ ମଧ୍ୟ ଗରୀବ ଅଟନ୍ତି । ତେଣୁ ବାବା ଆସି ଗରୀବରୁ ଗରୀବ କନ୍ୟାମାନଙ୍କୁ ହିଁ ପ୍ରଥମେ ସୌଦାଗର କରିଦେଲେ ଏବଂ ସୌଦା ମଧ୍ୟ କେତେ ବଡ କରିଦେଲେ! ଯାହାକି ଗରୀବ କୁମାରୀରୁ ଜଗଦମ୍ବା କରିଦେଲେ ତଥା ଧନର ଦେବୀ ଲକ୍ଷ୍ମୀ କରିଦେଲେ! ତେଣୁ ଆଜି ପର୍ଯ୍ୟନ୍ତ ମଧ୍ୟ କେତେ ବି ବଡ କୋଟିପତି ହୋଇଥାଉ କିନ୍ତୁ ଲକ୍ଷ୍ମୀଙ୍କୁ ନିଶ୍ଚିତ ଧନ ମାଗୁଥିବ ଏବଂ ପୂଜା ମଧ୍ୟ ନିଶ୍ଚିତ କରୁଥିବ । ସେଥିପାଇଁ ରତ୍ନାକର ପିତା ନିଜର ସୌଦାଗର ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । କାରଣ ପିଲାମାନେ ଗୋଟିଏ ଜନ୍ମର ସୌଦା କରି ଅନେକ ଜନ୍ମ ପାଇଁ ସମ୍ପୂର୍ଣ୍ଣ ମାଲାମାଲ ବା ଭରପୁର ହୋଇଯାଉଛନ୍ତି । ତେବେ ଦୁନିଆର ନିମିତ୍ତମାତ୍ର ସୌଦା କରୁଥିବା ସୌଦାଗରମାନେ କେତେ ବି ବଡ ବ୍ୟବସାୟୀ ହୋଇଥା’ନ୍ତୁ କିନ୍ତୁ ସେମାନେ କେବଳ ଧନର ସୌଦା ବା କୌଣସି ବସ୍ତୁର ସୌଦା କରିବେ କିନ୍ତୁ ଜଣେ ମାତ୍ର ବେହଦର ବାବା ଯିଏକି ଧନର ମଧ୍ୟ ସୌଦା କରୁଛନ୍ତି, ମନର, ଶରୀରର ଏବଂ ଶ୍ରେଷ୍ଠ ସମ୍ବନ୍ଧର ମଧ୍ୟ ସୌଦା କରୁଛନ୍ତି । ତେଣୁ ଏଭଳି ଦାତା କେବେ ଦେଖିଛ? ତେଣୁ ତୁମେମାନେ ଚାରିପ୍ରକାରର ସୌଦା କରିଛ ନା? ଯେଉଁଥିରେ ଶରୀର ସର୍ବଦା ସୁସ୍ଥ ରହିବ, ମନ ଖୁସି ରହିବ, ଧନର ଭଣ୍ଡାର ସର୍ବଦା ଭରପୂର ଏବଂ ସମ୍ବନ୍ଧରେ ନିଃସ୍ୱାର୍ଥ ସ୍ନେହ ରହିଥିବ, ତା’ ସହିତ ଗ୍ୟାରେଣ୍ଟି ମଧ୍ୟ ରହିଛି । ଆଜିକାଲି ଦୁନିଆରେ ମୂଲ୍ୟବାନ ବସ୍ତୁ ଗୁଡିକରେ ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି ନା । ସେମାନେ ଅତିବେଶୀରେ ୫ ବର୍ଷର ବା ୧୦ ବର୍ଷର ଗ୍ୟାରେଣ୍ଟି ଦେବେ, ଆଉ କ’ଣ କରିବେ? କିନ୍ତୁ ରତ୍ନାକର ପିତା କେତେ ସମୟର ଗ୍ୟାରେଣ୍ଟି ଦେଉଛନ୍ତି? ଅନେକ ଜନ୍ମର ଗ୍ୟାରେଣ୍ଟି ଦେଉଛନ୍ତି ଏବଂ ଚୋରୋଟିଯାକ ମଧ୍ୟରୁ କୌଣସି ଗୋଟିଏରେ ମଧ୍ୟ କମୀ ହୋଇପାରିବ ନାହିଁ । ଚାହେଁ ପ୍ରଜାର ମଧ୍ୟ ପ୍ରଜା ହେଉ କିନ୍ତୁ ତା’କୁ ମଧ୍ୟ ଶେଷ ଜନ୍ମ ପର୍ଯ୍ୟନ୍ତ ଅର୍ଥାତ୍ ତ୍ରେତାଯୁଗ ଶେଷ ପର୍ଯ୍ୟନ୍ତ ଚାରୋଟିଯାକ ସମ୍ପତ୍ତି ପ୍ରାପ୍ତ ହେବ । ତେଣୁ ଏଭଳି ସୌଦା କେବେ କରିଛ? ଏବେ ତ ସଉଦା କରିଦେଇଛ ନା? ଠିକ୍ ଭାବରେ ସୌଦା କରିଛ ନା କାମଚଳା ହିସାବରେ କରିଛ? ପରମାତ୍ମାଙ୍କ ଠାରୁ କେତେ ଶସ୍ତାରେ ସୌଦା କରିଛ? କ’ଣ ବା ଦେଇଛ, କିଛି କାମର ଜିନିଷ ଦେଇଛ?

ବିଦେଶୀ ପିଲାମାନେ ସବୁବେଳେ ଦିଲ୍ ଅର୍ଥାତ୍ ହୃଦୟର ଚିତ୍ର ତିଆରି କରି ବାପଦାଦାଙ୍କ ନିକଟକୁ ପଠାଇ ଦେଉଛନ୍ତି । ପତ୍ର ମଧ୍ୟ ସେହି ଦିଲ୍‌ର ଚିତ୍ର ଭିତରେ ହିଁ ଲେଖିଥିବେ, ଯଦି କୌଣସି ଉପହାର ମଧ୍ୟ ଦେବେ ତେବେ ସେହି ଦିଲ୍‌ର ହିଁ ଉପହାର ଦେବେ । ତେଣୁ ଦିଲ୍ ଦେଇ ଦେଇଛ ନା । କିନ୍ତୁ କେଉଁ ଭଳି ଦିଲ୍ ଦେଇଛ? ଗୋଟିଏ ଦିଲ୍ କେତେ ଖଣ୍ଡ ହୋଇଯାଇଥିଲା? ମା, ବାପା, ମାମୁଁ, କକା ଏହିଭଳି କେତେ ସମ୍ବନ୍ଧରେ ବାଣ୍ଟି ହୋଇ ଯାଇଥିଲା, ଏହାର ଲିଷ୍ଟ ମଧ୍ୟ କେତେ ଲମ୍ବା? ଯଦି ସମ୍ବନ୍ଧର ଲିଷ୍ଟ ବାହାର କରିବ ତେବେ କେତେ ଲମ୍ବା ଲିଷ୍ଟ ହୋଇଯିବ! ଗୋଟିଏ ହେଲା ଅନେକ ଗୁଡିଏ ସମ୍ବନ୍ଧରେ ଦିଲ୍‌କୁ ବାଣ୍ଟି ଦେଇଥିଲ, ଦ୍ୱିତୀୟରେ ବସ୍ତୁ ଗୁଡିକରେ ମଧ୍ୟ ଦିଲ୍‌କୁ ଲଗାଇ ଦେଇଥିଲ ତେବେ ଏହିଭଳି ଦିଲ୍ ଲଗାଇଥିବା ବସ୍ତୁ କେତେ ଅଛି, ବ୍ୟକ୍ତି ମଧ୍ୟ କେତେ ଅଛନ୍ତି? ସମସ୍ତଙ୍କ ସହିତ ଦିଲ୍‌କୁ ଲଗାଇ ଟୁକୁରା ଟୁକୁରା କରିଦେଇଥିଲ । ବାବା ଆସି ଅନେକ ଭାଗରେ ବାଣ୍ଟି ହୋଇଥିବା ଦିଲ୍‌କୁ ଯୋଡି ଗୋଟିଏ ଆଡକୁ ଲଗାଇଦେଲ । ତେବେ ଦେଇଛ କ’ଣ ଏବଂ ନେଇଛ କ’ଣ? ଏବଂ ସଉଦା କରିବାର ବିଧି କେତେ ସହଜ! ଗୋଟିଏ ସେକେଣ୍ଡରେ ସଉଦା କରିଛ ନା । କେବଳ ବାବା ଶବ୍ଦ ହିଁ ଗୋଟିଏ ସେକେଣ୍ଡରେ ସଉଦା କରିବାର ବିଧି । କିନ୍ତୁ ଗୋଟିଏ ଶବ୍ଦର ବିଧି ହୋଇଥିଲେ ମଧ୍ୟ ଏଥିରେ କେତେ ସମୟ ଲାଗିଯାଉଛି? କେବଳ ଦିଲ୍‌ରେ “ବାବା” ବୋଲି କହିଦିଅ, ବାସ୍ ଗୋଟିଏ ସେକେଣ୍ଡରେ ସଉଦା ହୋଇଗଲା । ସହଜ ବିଧି ହେଲା ନା । ଏତେ ଶସ୍ତା ସଉଦା କେବଳ ଏହି ସଂଗମଯୁଗ ବ୍ୟତୀତ ଅନ୍ୟ କୌଣସି ଯୁଗରେ କରିପାରିବ ନାହିଁ ଏହି ଭଳି ବାପଦାଦା ସୌଦାଗର ପିଲାମାନଙ୍କର ଚେହେରାକୁ ତଥା ମୂର୍ତ୍ତିକୁ ଦେଖୁଥିଲେ । ଦୁନିଆର ମନୁଷ୍ୟମାନଙ୍କ ତୁଳନାରେ ଏମାନେ କେତେ ସରଳ ଏବଂ କେତେ ସାଧାରଣ ଅଟନ୍ତି! କିନ୍ତୁ ଏହିମାନେ ହିଁ ତ କମାଲ କରିଛନ୍ତି ନା । ସୌଦା କରିବାରେ ତ ଚତୁର ଅଟନ୍ତି ନା । ଆଜିକାଲିର ବଡ ବଡ ନାମୀଗ୍ରାମୀ ଧନବାନମାନେ କେବଳ ଧନ ରୋଜଗାର ତ କରୁଛନ୍ତି କିନ୍ତୁ ଧନକୁ ସମ୍ଭାଳିବା ପାଇଁ ଚିନ୍ତାରେ ପଡିଯାଉଛନ୍ତି । ସେହି ଚିନ୍ତା ଭିତରେ ରହି ଭଗବାନଙ୍କୁ ଚିହ୍ନିବା ପାଇଁ ମଧ୍ୟ ସମୟ ପାଉ ନାହାଁନ୍ତି । ନିଜକୁ ଏବଂ ଧନ ସମ୍ପତ୍ତିକୁ ସୁରକ୍ଷିତ କରିବାରେ ହିଁ ସେମାନଙ୍କର ସମୟ ଚାଲିଯାଉଛି । ଯଦିଓ ରାଜା ମଧ୍ୟ ହୋଇଥିବ ତେବେ ବି ଚିନ୍ତାରେ ରହୁଥିବ କାହିଁକି ନା ତା’ର ଧନ ତ କଳା ଧନ ଅଟେ ନା, ସେଥିପାଇଁ ଚିନ୍ତାଗ୍ରସ୍ତ ରାଜା କୁହାଯାଉଛି କିନ୍ତୁ ତୁମେମାନେ ବାହାରୁ ତ କଉଡି ଶୂନ୍ୟ ଅଟ ହେଲେ ଚିନ୍ତାଶୂନ୍ୟ ରାଜା ମଧ୍ୟ ଅଟ, ଭିକାରୀ ହେଲେ ମଧ୍ୟ ରାଜା । ଆରମ୍ଭ ସମୟରେ କ’ଣ ଦସ୍ତଖତ କରୁଥିଲ? ବେଗର ଟୁ ପ୍ରିନ୍ସ ଅର୍ଥାତ୍ ଭିକାରୀରୁ ରାଜକୁମାର । ଏବେ ମଧ୍ୟ ରାଜା ଏବଂ ଭବିଷ୍ୟତରେ ମଧ୍ୟ ରାଜା । ଆଜିକାଲିର ଯେଉଁମାନେ ନମ୍ବରୱାନ ଧନବାନ ଆସାମୀ ଅଛନ୍ତି ସେମାନଙ୍କ ତୁଳନାରେ ତ୍ରେତା ଯୁଗର ଶେଷରେ ଆସୁଥିବା ପ୍ରଜା ମଧ୍ୟ ଅଧିକ ଧନବାନ ହୋଇଥିବ । ଆଜିକାଲିର ଜନସଂଖ୍ୟା ହିସାବରେ ଚିନ୍ତାକର ଧନ ସମ୍ପତ୍ତି ସେତିକି ହିଁ ଥିବ ନା, ସେତେବେଳେ ତ ଆହୁରି ମାଟି ତଳେ ଦବି ରହିଥିବା ଧନ ମଧ୍ୟ ବାହାରି ପଡିବ । ତେବେ ବର୍ତ୍ତମାନ ଯେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି ସେହି ଅନୁସାରେ ଧନ ସମ୍ପତ୍ତି ମଧ୍ୟ ଭାଗ-ଭାଗ ହୋଇଯାଇଛି । କିନ୍ତୁ ସେଠାରେ କେତେ ମନୁଷ୍ୟ ଥିବେ? ଯଦି ସେହି ହିସାବରେ ଦେଖିବ ତେବେ ବି କେତେ ଧନ ସମ୍ପତ୍ତି ରହିବ! ପ୍ରଜାକୁ ମଧ୍ୟ କୌଣସି ବସ୍ତୁ ଅପ୍ରାପ୍ତ ନଥିବ । ତେଣୁ ରାଜା ହେଲ ନା । କିନ୍ତୁ ରାଜାର ଅର୍ଥ ଏହା ନୁହେଁ ଯେ ସିଂହାସନ ଉପରେ ବସିବା ଦରକାର । ରାଜା ଅର୍ଥାତ୍ ଭରପୁର, ଅପ୍ରାପ୍ତ କିଛି ନଥିବ, ଅଭାବ କିଛି ନଥିବ, ତେବେ ଏହିଭଳି ସୌଦା କରିସାରିଛ ନା ଏବେ କରୁଛ? ନା ଏବେ ଚିନ୍ତା କରୁଛ? କେବେ କେବେ ଯଦି କୌଣସି ମୂଲ୍ୟବାନ ବସ୍ତୁ ବହୁତ ଶସ୍ତାରେ ଏବଂ ସହଜରେ ମିଳିଯାଏ ତେବେ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିଯାଆନ୍ତି, ଭାବନ୍ତି କିଏ ଜାଣେ ଠିକ୍ ଜିନିଷ କି ନୁହେଁ? ତୁମେମାନେ ଏଭଳି ଦ୍ୱନ୍ଦ୍ୱରେ ନାହଁ ତ? କାହିଁକି ନା ଭକ୍ତିମାର୍ଗବାଲା ସହଜ ପ୍ରାପ୍ତିକୁ ଏତେ ମୁଶକିଲ୍ କରି ଦେଇଛନ୍ତି ଏବଂ ଏତେ ଜଟୀଳ କରି ଦେଇଛନ୍ତି ଯାହାକି ଏବେ ବି ମଧ୍ୟ ଲୋକମାନେ ପରମାତ୍ମାଙ୍କୁ ସେହି ରୂପରେ ଖୋଜିବାରେ ଲାଗିଛନ୍ତି । ଛୋଟ କଥାକୁ ମଧ୍ୟ ବଡ କରିଦେଇଛନ୍ତି, ସେଥିପାଇଁ ହିଁ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ଉଚ୍ଚରୁ ଉଚ୍ଚ ଭଗବାନଙ୍କ ସହିତ ମିଶିବାର ବିଧିଗୁଡିକୁ ମଧ୍ୟ ଲମ୍ବା ଚଉଡା କରିଦେଇଛନ୍ତି । ସେହି ଅଡୁଆ ଭିତରେ ପଡି ଭକ୍ତ ଆତ୍ମାମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଭଗବାନ ତ ଭକ୍ତିର ଫଳ ଦେବା ପାଇଁ ଆସିଯାଇଛନ୍ତି କିନ୍ତୁ ଭକ୍ତ ଆତ୍ମାମାନେ ଦ୍ୱନ୍ଦ୍ୱରେ ଥିବା କାରଣରୁ ଡାଳ-ପତ୍ରକୁ ପାଣି ଦେବାରେ ଲାଗି ରହିଛନ୍ତି । ତୁମେମାନେ ଯେତେ ବି ବାବାଙ୍କର ସନ୍ଦେଶ ଦେଉଛ କିନ୍ତୁ ସେମାନେ କ’ଣ କହୁଛନ୍ତି? ଏତେ ଉଚ୍ଚରୁ ଉଚ୍ଚ ଭଗବାନ କ’ଣ ଏତେ ସହଜରେ ଆସିଯିବେ? ଏମିତି ତ ହୋଇପାରିବ ନାହିଁ । ସେଥିପାଇଁ ବାବା ମଧ୍ୟ ମୁରୁକି ମୁରୁକି ହସୁଛନ୍ତି, ଦେଖୁଛନ୍ତି ଆଜିକାଲି ଭକ୍ତିରେ ନାମୀଗ୍ରାମୀ ହୋଇଥିବା ବା ଧନରେ ଅଥବା ଅନ୍ୟ କୌଣସି କ୍ଷେତ୍ରରେ ନାମୀଗ୍ରାମୀ ହୋଇଥିବା ଆତ୍ମାମାନେ ନିଜ ନିଜର କାର୍ଯ୍ୟରେ ହିଁ ବ୍ୟସ୍ତ ଅଛନ୍ତି, କିନ୍ତୁ ତୁମ ଭଳି ସାଧାରଣ ଆତ୍ମାମାନେ ପରମାତ୍ମା ପିତାଙ୍କଠାରୁ ସଉଦା କରିନେଲ । ପାଣ୍ଡବମାନେ ପକ୍କା ସୌଦା କରି ଦେଇଛ ନା? ଡବଲ ବିଦେଶୀମାନେ ତ ସୌଦା କରିବାରେ ଚତୁର ଅଟନ୍ତି ନା । ଏମିତି ତ ସମସ୍ତେ ସଉଦା କରିଛ କିନ୍ତୁ ଏଠାରେ ସବୁ କଥାରେ କ୍ରମାନ୍ୱୟ ତ ନିଶ୍ଚିତ ରହିବ । ବାବା ତ ସବୁ ପିଲାମାନଙ୍କୁ ସର୍ବ ସମ୍ପତ୍ତି ସମାନ ଭାବରେ ଦେଇଛନ୍ତି କାରଣ ସୀମାହୀନ ସାଗର ଅଟନ୍ତି ନା । ତେଣୁ ବାବାଙ୍କୁ ଦେବା ସମୟରେ କମୀ ବେଶୀ କରିବାର ଆବଶ୍ୟକତା ନାହିଁ ।

ଯେପରି ଆଜିକାଲିର ବିନାଶକାରୀ ଆତ୍ମାମାନେ କହୁଛନ୍ତି ଯେ ବିନାଶର ସାମଗ୍ରୀ ସେମାନେ ଏତେ ମାତ୍ରାରେ ପ୍ରସ୍ତୁତ କରିସାରିଲେଣି ଯାହାକି ଏହିଭଳି ଅନେକ ଦୁନିଆ ବିନାଶ କରିପାରିବେ । ସେହିଭଳି ବାବା ମଧ୍ୟ କହୁଛନ୍ତି ତାଙ୍କ ପାଖରେ ମଧ୍ୟ ଏତେ ସମ୍ପତ୍ତି ଅଛି ଯାହାକି ସାରା ବିଶ୍ୱର ଆତ୍ମାମାନେ ଯଦି ତୁମମାନଙ୍କ ଭଳି ବୁଦ୍ଧିମାନ ହୋଇ ଏହି ସଉଦା କରି ନେବେ ତେବେ ବି ସରିବ ନାହିଁ । ଏବେ ତୁମେ ବ୍ରାହ୍ମଣମାନଙ୍କର ସଂଖ୍ୟା ଯେତିକି ଅଛି, ତା’ର ପଦ୍ମଗୁଣା ସଂଖ୍ୟାରେ ଆସିଗଲେ ମଧ୍ୟ ସମ୍ପତ୍ତି ନେଇ ପାରିବେ, ଏତେ ଅସରନ୍ତି ସମ୍ପତ୍ତି ରହିଛି କିନ୍ତୁ ନେବାବାଲାଙ୍କ ଭିତରେ ଖୋଲା ଦିଲ୍‌ରେ ସଉଦା କରୁଥିବା ସାହସୀ ଆତ୍ମା ବହୁତ କମ୍ ବାହାରୁଛନ୍ତି, ସେଥିପାଇଁ ଦୁଇ ପ୍ରକାର ମାଳାର ପୂଜନ ହେଉଛି । କେଉଁଠି ଅଷ୍ଟରତ୍ନ, କେଉଁଠି ୧୬ ହଜାର ମାଳାର ଶେଷଦାନା । କେତେ ଅନ୍ତର ହୋଇଗଲା! ତେବେ ସଉଦା କରିବାରେ ତ ସମସ୍ତେ ଏକାଭଳି ହିଁ ଅଟନ୍ତି । ଶେଷ ନମ୍ବରବାଲା ମଧ୍ୟ କହୁଛି ବାବା ଏବଂ ପ୍ରଥମ ନମ୍ବରର ଆତ୍ମା ମଧ୍ୟ କହୁଛି ବାବା । ଶବ୍ଦରେ କୌଣସି ଅନ୍ତର ନାହିଁ । ସୌଦା କରିବାରେ ବିଧି ମଧ୍ୟ ଏକାଭଳି ଏବଂ ପ୍ରାପ୍ତି କରାଉଥିବା ଦାତା ମଧ୍ୟ ସମସ୍ତଙ୍କୁ ଏକାଭଳି ହଁ ଦେଉଛନ୍ତି । ଜ୍ଞାନ ରୂପୀ ସମ୍ପତ୍ତି ବା ଶକ୍ତିରୂପୀ ସମ୍ପତ୍ତି ଯେଉଁ ସବୁ ସଂଗମଯୁଗୀ ସମ୍ପତ୍ତି ଗୁଡିକୁ ତୁମେମାନେ ଜାଣିଛ ସେଗୁଡିକ ମଧ୍ୟ ସମସ୍ତଙ୍କ ପାଖରେ ଏକା ଭଳି ହିଁ ଅଛି । ଏମିତି ନୁହେଁ ଯେ କାହାକୁ ସର୍ବଶକ୍ତି ଦିଆଯାଇଛି, କାହାକୁ ଗୋଟିଏ ଶକ୍ତି ଦିଆଯାଇଛି ବା କାହାକୁ ଗୋଟିଏ ଗୁଣ ଆଉ କାହାକୁ ସର୍ବ ଗୁଣ ଦିଆଯାଇଛି - ଏଭଳି ଅନ୍ତର ମଧ୍ୟ ନାହିଁ । ସମସ୍ତଙ୍କର ଉପାଧି ବା ସ୍ୱମାନ ମଧ୍ୟ ଗୋଟିଏ - ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ଜାଣିଥିବା ତ୍ରିକାଳଦର୍ଶୀ ବା ମାଷ୍ଟର ସର୍ବଶକ୍ତିବାନ ତ ସମସ୍ତେ ଅଟନ୍ତି । ଏମିତି ବି ନୁହେଁ ଯେ କେହି କେହି ସର୍ବଶକ୍ତିବାନ, ଆଉ କେହି କେବଳ ଶକ୍ତିବାନ ଅଟନ୍ତି । ନା । ସମସ୍ତଙ୍କୁ ସର୍ବଗୁଣ ସମ୍ପନ୍ନ ହେଉଥିବା ଦେବାତ୍ମା କୁହାଯାଉଛି, ଗୁଣର ମୂର୍ତ୍ତି କୁହାଯାଉଛି । ସମ୍ପତ୍ତି ମଧ୍ୟ ସମସ୍ତଙ୍କ ନିକଟରେ ଅଛି । ମାତ୍ର ଗୋଟିଏ ମାସ ପାଠ ପଢିଥିବା ଆତ୍ମା ଜ୍ଞାନରୂପକ ସମ୍ପତ୍ତିକୁ ଏଭଳି ଭାବରେ ବର୍ଣ୍ଣନା କରି ଶୁଣାଉଛି ଯେପରି ୫୦ ବର୍ଷର ବିଦ୍ୟାର୍ଥୀ ବର୍ଣ୍ଣନା କରିଥା’ନ୍ତି । ଯଦି ଗୋଟିଏ ଗୋଟିଏ ଗୁଣ ବା ଶକ୍ତି ଉପରେ ଭାଷଣ କରିବା ପାଇଁ କୁହାଯିବ ତେବେ ବହୁତ ଭଲ ଭାଷଣ କରିପାରିବେ । ତେବେ ବୁଦ୍ଧିରେ ଅଛି ବୋଲି ତ ଭାଷଣ କରିପାରୁଛନ୍ତି ନା । ତେଣୁ ସମ୍ପତ୍ତି ମଧ୍ୟ ସମସ୍ତଙ୍କ ନିକଟରେ ଅଛି, ବାକି ଅନ୍ତର କେଉଁଠି ରହିଲା? ପ୍ରଥମ ନମ୍ବରର ସୌଦାଗର ପିଲାମାନେ ସମ୍ପତ୍ତିକୁ ନିଜ ପ୍ରତି ମନନ-ଚିନ୍ତନ କରିବା ଆଧାରରେ କାର୍ଯ୍ୟରେ ଲଗାଇଥା’ନ୍ତି ଏବଂ ସେହି ଅନୁଭବର କ୍ଷମତା ଦ୍ୱାରା ଅନୁଭବୀ ହୋଇ ଅନ୍ୟମାନଙ୍କୁ ବାଣ୍ଟିଥା’ନ୍ତି । ତେଣୁ ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇବା ଅର୍ଥାତ୍ ସମ୍ପତ୍ତିର ବୃଦ୍ଧି କରିବା । କିନ୍ତୁ କେତେକ ଅଛନ୍ତି ଯେଉଁମାନେ କି କେବଳ ବର୍ଣ୍ଣନା ହିଁ କରିଥା’ନ୍ତି, ଆଉ କେତେକ ହେଲେ ମନନ କରୁଥିବା ଆତ୍ମା । ତେଣୁ ମନନ କରୁଥିବା ଆତ୍ମାମାନେ ଯାହାକୁ ବି ଜ୍ଞାନ ରୂପକ ସମ୍ପତ୍ତି ଦାନ କରିବେ ସେମାନେ ନିଜେ ଅନୁଭବୀ ହୋଇଥିବା କାରଣରୁ ଅନ୍ୟମାନଙ୍କୁ ମଧ୍ୟ ଅନୁଭବୀ କରିପାରିବେ । ସେହିପରି କେବଳ ବର୍ଣ୍ଣନା କରୁଥିବା ଆତ୍ମାମାନେ ଅନ୍ୟମାନଙ୍କୁ ମଧ୍ୟ ବର୍ଣ୍ଣନା କରୁଥିବା ଆତ୍ମା କରିଦିଅନ୍ତି । ସେମାନେ କେବଳ ଜ୍ଞାନର ମହିମା କରି ଚାଲିଥାଆନ୍ତି କିନ୍ତୁ ଅନୁଭବୀ ହୋଇପାରନ୍ତି ନାହିଁ । ନିଜେ ମହାନ ହୋଇପାରନ୍ତି ନାହିଁ କିନ୍ତୁ ମହିମା କରିବାବାଲା ହୋଇଯାଆନ୍ତି ।

ତେଣୁ ନମ୍ବରୱାନ ଅର୍ଥାତ୍ ମନନ ଶକ୍ତି ଆଧାରରେ ସମ୍ପତ୍ତିର ଅନୁଭବୀ ହୋଇ ଅନ୍ୟମାନଙ୍କୁ ଅନୁଭବୀ କରୁଥିବା ଆତ୍ମା ଅର୍ଥାତ୍ ଅନ୍ୟମାନଙ୍କୁ ମଧ୍ୟ ଧନବାନ କରୁଥିବା ଆତ୍ମା, ସେଥିପାଇଁ ସେମାନଙ୍କର ସମ୍ପତ୍ତି ସଦାସର୍ବଦା ବଢି ବଢି ଚାଲିଥାଏ ଏବଂ ସମୟ ଅନୁସାରେ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି କାର୍ଯ୍ୟରେ ଲଗାଉଥିବା କାରଣରୁ ସର୍ବଦା ସଫଳତା ସ୍ୱରୂପ ସ୍ଥିତିରେ ରହିଥା’ନ୍ତି । କେବଳ ବର୍ଣ୍ଣନା କରୁଥିବା ଆତ୍ମାମାନେ ଅନ୍ୟମାନଙ୍କୁ ମଧ୍ୟ ଧନବାନ କରିପାରିବେ ନାହିଁ ଏବଂ ନିଜ ପ୍ରତି ମଧ୍ୟ ସମୟ ଅନୁସାରେ ଯେଉଁ ଶକ୍ତି, ଯେଉଁ ଗୁଣ ବା ଯେଉଁ ସବୁ ଜ୍ଞାନର ପଏଣ୍ଟ ଗୁଡିକୁ ବ୍ୟବହାର କରିବା ଦରକାର ତାହା ମଧ୍ୟ କରିପାରିବେ ନାହିଁ, ସେଥିପାଇଁ ସମ୍ପତ୍ତିର ଭରପୁର ସ୍ୱରୂପର ସୁଖ ଏବଂ ଦାତା ହୋଇ ଅନ୍ୟମାନଙ୍କୁ ଦେବାର ଅନୁଭବ କରିପାରିବେ ନାହିଁ । ପାଖରେ ଧନ ଥିଲେ ମଧ୍ୟ ଧନର ସୁଖ ନେଇପାରିବେ ନାହିଁ, ଶକ୍ତି ଥିଲେ ମଧ୍ୟ ସମୟ ଅନୁସାରେ ଶକ୍ତି ଦ୍ୱାରା ସଫଳତାକୁ ପ୍ରାପ୍ତ କରିପାରିବେ ନାହିଁ, ସେହିପରି ନିଜ ଭିତରେ ଗୁଣ ଥିଲେ ମଧ୍ୟ ସମୟ ଅନୁସାରେ ସେହି ଗୁଣ ଗୁଡିକୁ ବ୍ୟବହାର କରିପାରିବେ ନାହିଁ । କେବଳ ବର୍ଣ୍ଣନା କରିପାରିବେ । ତେଣୁ ଧନ ତ ସମସ୍ତଙ୍କ ପାଖରେ ଅଛି କିନ୍ତୁ ଧନର ସୁଖ କେବଳ ସମୟ ଅନୁସାରେ ବ୍ୟବହାର କରିବା ଦ୍ୱାରା ହିଁ ଅନୁଭବ ହୋଇଥାଏ । ଯେପରି ଆଜିକାଲି ସମୟରେ ମଧ୍ୟ କେହି କେହି ବିନାଶୀ ଧନୀ ବ୍ୟକ୍ତିଙ୍କର ଧନ ବ୍ୟାଙ୍କ ଏକାଉଣ୍ଟରେ ଥିବ ବା ଆଲମାରୀ ଭିତରେ ଥିବ ବା ତକିଆ ତଳେ ମଧ୍ୟ ଥିବ କିନ୍ତୁ ସେ ତାକୁ ନିଜେ ବି କାର୍ଯ୍ୟରେ ଲଗାଉନଥିବେ କିମ୍ବା କାହାକୁ ବି କାର୍ଯ୍ୟରେ ଲଗାଇବା ପାଇଁ ଦେଉନଥିବେ । ନା ନିଜେ ଲାଭ ନେବେ ନା ଅନ୍ୟକୁ ଲାଭ ଦେବେ । ତେଣୁ ଧନ ଥିଲେ ମଧ୍ୟ ଧନର ସୁଖ ତ ନେଇପାରିଲେ ନାହିଁ ନା । ନିଜେ ଚାଲିଯିବେ କିନ୍ତୁ ଧନ ସେହି ତକିଆ ତଳେ ହିଁ ରହିଯିବ । ତେବେ ଏହିଭଳି ବର୍ଣ୍ଣନା କରିବା ଅର୍ଥାତ୍ ବ୍ୟବହାର ନ କରିବା ଅର୍ଥାତ୍ ସର୍ବଦା ଗରୀବ ଅବସ୍ଥାରେ ହିଁ ରହିବା । ଆହୁରି ମଧ୍ୟ ଏହି ଧନକୁ ଯଦି ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ ସମୟ ଅନୁସାରେ ବ୍ୟବହାର ନ କରିବ, କେବଳ ବୁଦ୍ଧିରେ ରଖିଥିବ ତେବେ ନିଜେ ମଧ୍ୟ ଅବିନାଶୀ ଧନର ନିଶା ବା ଖୁସିରେ ରହିପାରିବ ନାହିଁ କି ଅନ୍ୟମାନଙ୍କୁ ମଧ୍ୟ ସେହି ଖୁସି ଦେଇପାରିବ ନାହିଁ । ସବୁବେଳେ କ’ଣ କରିବି, କିପରି କରିବି... ଏହି ବିଧିରେ ଚାଲୁଥିବ, ସେଥିପାଇଁ ହିଁ ଦୁଇଟିମାଳା ହୋଇଯାଉଛି । ଏମାନେ ହେଲେ ମନନ କରୁଥିବା ଆତ୍ମା, ସେମାନେ ହେଲେ କେବଳ ବଣ୍ଣନା କରୁଥିବା ବା ଶୁଣାଉଥିବା ଆତ୍ମା । ତେବେ ତୁମେମାନେ କେଉଁ ଭଳି ସୌଦାଗର ଅଟ? ପ୍ରଥମ ନମ୍ବରବାଲା, ନା ଦ୍ୱିତୀୟ ନମ୍ବର ବାଲା? ତେବେ ଏହି ସମ୍ପତ୍ତି ପାଇଁ କିଛି ସର୍ତ୍ତ ମଧ୍ୟ ରହିଛି, ତାହା ହେଲା - ଏହାକୁ ଯେତେ ଅନ୍ୟକୁ ବାଣ୍ଟିବ ବା କାର୍ଯ୍ୟରେ ଲଗାଇବ ସେତେ ବଢି ବଢି ଚାଲିବ । ଏହା ହିଁ ହେଉଛି ସମ୍ପତ୍ତିକୁ ବୃଦ୍ଧି କରିବାର ବିଧି । ଏଥିରେ ଯଥାର୍ଥ ବିଧିକୁ ଆପଣାଇ ନ ପାରିବା କାରଣରୁ ନିଜ ଭିତରେ ମଧ୍ୟ ବୃଦ୍ଧି ହେଉ ନାହିଁ ଏବଂ ଅନ୍ୟମାନଙ୍କର ସେବା କରିବାରେ ମଧ୍ୟ ବୃଦ୍ଧି ହେଉ ନାହିଁ । ତେବେ ଏଠାରେ କୌଣସି ସଂଖ୍ୟା ବୃଦ୍ଧି ହେବାର କଥା କୁହାଯାଉନାହିଁ କିନ୍ତୁ ସମ୍ପନ୍ନ ହେବାରେ ବୃଦ୍ଧି ହେବା କଥା କୁହାଯାଉଛି । କେତେକ ବିଦ୍ୟାର୍ଥୀ ସଂଖ୍ୟା ହିସାବରେ ତ ଗଣତିରେ ଆସିଯାଉଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ କହି କହିଚାଲିଛନ୍ତି - ଯୋଗ କ’ଣ ବା ବାବାଙ୍କୁ କିପରି ମନେ ପକାଇବି ଜାଣିପାରୁ ନାହିଁ? ଏବେ ତ ମୋ ଭିତରେ କୌଣସି ଶକ୍ତି ନାହିଁ । ତେବେ ଏମାନେ ବିଦ୍ୟାର୍ଥୀମାନଙ୍କ ଧାଡିରେ ତ ଅଛନ୍ତି, ରେଜିଷ୍ଟରରେ ମଧ୍ୟ ନାମ ଅଛି କିନ୍ତୁ ଧନବାନ ତ ହୋଇନାହାଁନ୍ତି ନା । ତେଣୁ ଜୀବନ ସାରା ଏମାନେ କେବଳ ମାଗି ଚାଲିଥିବେ । କେବେ କୌଣସି ଟିଚର ପାଖକୁ ଯାଇ କହିବେ ମୋତେ ଟିକିଏ ସାହାଯ୍ୟ କର, କେବେ ବାବାଙ୍କ ସହିତ ବାର୍ତ୍ତାଳାପରେ କହିବେ - ସାହାଯ୍ୟ କରିଦିଅ । ତେବେ ଭରପୁର ତ ହେଲେ ନାହିଁ ନା । ଯେଉଁମାନେ ନିଜ ପ୍ରତି ମନନ ଶକ୍ତି ଆଧାରେ ଧନକୁ ବଢାଇ ଚାଲିଥା’ନ୍ତି ସେମାନେ ଅନ୍ୟମାନଙ୍କୁ ମଧ୍ୟ ଧନ ହିସାବରେ ଆଗକୁ ବଢାଇପାରିବେ କାରଣ ମନନ ଶକ୍ତି ଅର୍ଥାତ୍ ଧନକୁ ବୃଦ୍ଧି କରିବାର ଶକ୍ତି । ତେଣୁ ଧନବାନ ହେବାର ଖୁସି ଏବଂ ଧନବାନ ହେବାର ସୁଖକୁ ଅନୁଭବ କର । ବୁଝିଲ? ମନନ ଶକ୍ତିର ମହତ୍ୱ ତ ବହୁତ ରହିଛି । ପୂର୍ବରୁ ମଧ୍ୟ କିଛିଟା ସଂକେତ ରୂପରେ ଶୁଣାଇଥିଲୁ । ଆହୁରି ମଧ୍ୟ ମନନ ଶକ୍ତିର ମହତ୍ୱ ବିଷୟରେ ଆଗକୁ ଶୁଣାଇବୁ । ତେବେ ତୁମମାନଙ୍କୁ ନିଜକୁ ଚେକ୍ କରିବାର କାମ ଦିଆଯାଉଛି । କାହିଁକି ନା ଫଳାଫଳ ବାହାରିବା ପରେ ପୁଣି ତୁମେ କହୁଥିବ, ଆମକୁ ତ ଜଣାନଥିଲା । ଏକଥା ତ ବାପଦାଦା କହିନଥିଲେ, ସେଥିପାଇଁ ହିଁ ପ୍ରତିଦିନ ଶୁଣାଇ ଚାଲିଛନ୍ତି । ଚେକ୍ କରିବା ଅର୍ଥାତ୍ ଚେଞ୍ଜ କରିବା ଅର୍ଥାତ୍ ପରିବର୍ତ୍ତନ କରିବା । ଆଚ୍ଛା!

ସର୍ବଶ୍ରେଷ୍ଠ ସୌଦାଗର ଆତ୍ମାମାନଙ୍କୁ, ସର୍ବଦା ସର୍ବ ସମ୍ପତ୍ତିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଉଥିବା ମହାନ ବିଶାଳ ବୁଦ୍ଧି ପିଲାମାନଙ୍କୁ, ସର୍ବଦା ନିଜକୁ ଏବଂ ସମସ୍ତଙ୍କୁ ସମ୍ପନ୍ନ ଅନୁଭବ କରି ଅନୁଭବୀ କରାଉଥିବା ଅନୁଭବର କ୍ଷମତା ସମ୍ପନ୍ନ ପିଲାମାନଙ୍କୁ ଅଲମାଇଟୀ ଅଥୋରିଟୀ ଅର୍ଥାତ୍ ସର୍ବଶକ୍ତିବାନ୍ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ସ୍ମୃତି ଏବଂ ନମସ୍ତେ ।

ଈଷ୍ଟର୍ଣ୍ଣ ଜୋନ୍‌ର ଭାଇଭଉଣୀ ମାନଙ୍କ ସହିତ ଅବ୍ୟକ୍ତ ବାପଦାଦାଙ୍କର ସାକ୍ଷାତ:-

ଇଷ୍ଟ ଅର୍ଥାତ୍ ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୋଇଥାଏ ନା । ତେଣୁ ଈଷ୍ଟର୍ଣ୍ଣ ଜୋନ୍ ଅର୍ଥାତ୍ ଯେଉଁଠାରେ ସର୍ବଦା ଜ୍ଞାନ ସୂର୍ଯ୍ୟ ଉଦିତ ଅବସ୍ଥାରେ ଅଛନ୍ତି । ଇଷ୍ଟର୍ଣ୍ଣ ଜୋନ୍‌ର ଆତ୍ମାମାନେ ଅର୍ଥାତ୍ ଯେଉଁମାନେ ସର୍ବଦା ଜ୍ଞାନ ସୂର୍ଯ୍ୟଙ୍କର ପ୍ରକାଶ ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ଆଲୋକିତ କରିଥା’ନ୍ତି ଏବଂ ଅନ୍ଧକାରକୁ ସମାପ୍ତ କରିଥା’ନ୍ତି । କାରଣ ସୂର୍ଯ୍ୟର କାମ ହେଲା ଅନ୍ଧକାରକୁ ସମାପ୍ତ କରିବା । ତେଣୁ ତୁମେମାନେ ହେଲ ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅର୍ଥାତ୍ ଚାରିଆଡର ଅଜ୍ଞାନ ରୂପୀ ଅନ୍ଧକାରକୁ ସମାପ୍ତ କରିବାବାଲା । ତେବେ ସମସ୍ତେ ଏହି ସେବାରେ ବ୍ୟସ୍ତ ରହୁଛ ନା ନିଜ ନିଜର କର୍ମଧନ୍ଦାରେ ପରିସ୍ଥିତିର ଜଞ୍ଜାଳ ଭିତରେ ବାନ୍ଧି ହୋଇ ରହିଛ? କାରଣ ସୂର୍ଯ୍ୟର କାମ ହେଲା ଆଲୋକ ପ୍ରଦାନ କରିବାର କାର୍ଯ୍ୟରେ ସର୍ବଦା ବ୍ୟସ୍ତ ରହିବା । ଚାହେଁ ଘର ଗୃହସ୍ଥରେ ରହୁଥାଅ ବା କୌଣସି ବି କାର୍ଯ୍ୟ କରୁଥାଅ, ଚାହେଁ କୌଣସି ପ୍ରକାରର ପରିସ୍ଥିତି ମଧ୍ୟ ସମ୍ମୁଖକୁ ଆସୁ କିନ୍ତୁ ସୂର୍ଯ୍ୟ ଆଲୋକ ପ୍ରଦାନ କରିବାର କାର୍ଯ୍ୟ ନକରି ରହିପାରିବ ନାହିଁ । ତେବେ ତୁମେମାନେ ମଧ୍ୟ ଏହିଭଳି ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅଟ ନା କେବେ କେବେ ସମସ୍ୟା ଭିତରେ ଆସିଯାଉଛ? ତୁମର ପ୍ରଥମ କର୍ତ୍ତବ୍ୟ ହେଲା - ଜ୍ଞାନର ଆଲୋକ ପ୍ରଦାନ କରିବା । ଯେତେବେଳେ ଏହି କଥା ସ୍ମୃତିରେ ରହିବ ଯେ ପରମାର୍ଥ ଅର୍ଥାତ୍ ଈଶ୍ୱରୀୟ ସେବା ଆଧାରରେ ବ୍ୟବହାର ଅର୍ଥାତ୍ ଲୌକିକ କର୍ମଧନ୍ଦା ଏବଂ ଲୌକିକ ପରିବାର ଉଭୟକୁ ଶ୍ରେଷ୍ଠ କରିବାକୁ ହେବ ସେତେବେଳେ ଏହି ସେବା ମଧ୍ୟ ସ୍ୱତଃ ଭାବରେ ହୋଇଯିବ । ଯେଉଁଠାରେ ପରମାର୍ଥ ରହିଛି ସେଠାରେ ବ୍ୟବହାର ସହଜ ମଧ୍ୟ ହୋଇଯାଏ ଏବଂ ସଫଳତା ମଧ୍ୟ ମିଳିଯାଏ ଏବଂ ପରମାର୍ଥ ଭାବନା ଦ୍ୱାରା ପରିବାରରେ ମଧ୍ୟ ସଚ୍ଚା ସ୍ନେହ ଏବଂ ଏକତା ସ୍ୱତଃ ଆସିଯାଏ । ତେଣୁ ପରିବାର ମଧ୍ୟ ଶ୍ରେଷ୍ଠ ଏବଂ ବ୍ୟବହାର ମଧ୍ୟ ଶ୍ରେଷ୍ଠ ହୋଇଯାଏ । ତେବେ ପରମାର୍ଥ ବ୍ୟବହାରଠାରୁ ଅର୍ଥାତ୍ କର୍ମଧନ୍ଦାଠାରୁ ଅଲଗା କରାଏ ନାହିଁ ବରଂ ପରମାର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବା ଦ୍ୱାରା ପରିବାର ଏବଂ ବ୍ୟବହାର ଉଭୟକୁ ସାହାରା ମିଳିଯାଏ । ତେଣୁ ପରମାର୍ଥ କାର୍ଯ୍ୟରେ ସର୍ବଦା ଆଗକୁ ବଢିଚାଲ । ନେପାଳ ନିବାସୀଙ୍କର ସଂକେତ ରୂପରେ ସୂର୍ଯ୍ୟର ଚିହ୍ନ ଦେଖାଇଥା’ନ୍ତି । ଏମିତି ବି ରାଜାମାନଙ୍କ ଭିତରେ ସୂର୍ଯ୍ୟବଂଶୀ ରାଜମାନେ ଅଧିକ ପ୍ରସିଦ୍ଧ ଅଟନ୍ତି ଏବଂ ଶ୍ରେଷ୍ଠ ବିବେଚିତ ହୁଅନ୍ତି । ତେଣୁ ତୁମେମାନେ ମଧ୍ୟ ମାଷ୍ଟର ଜ୍ଞାନସୂର୍ଯ୍ୟ ଅଟ ଯିଏକି ସମସ୍ତଙ୍କୁ ଆଲୋକ ପ୍ରଦାନ କରୁଛ । ଆଚ୍ଛା!

ରଦାନ:-
ସଂଗମଯୁଗରେ ପ୍ରତ୍ୟେକ କର୍ମକୁ କଳା ରୂପରେ କରୁଥିବା ୧୬ କଳା ସମ୍ପନ୍ନ ହୁଅ ।

ସଂଗମଯୁଗ ହେଉଛି ବିଶେଷ କର୍ମ ରୂପକ କଳା ପ୍ରଦର୍ଶନ କରିବାର ଯୁଗ । ଯେଉଁମାନଙ୍କର ପ୍ରତ୍ୟେକ କର୍ମ କଳା ରୂପରେ ହୋଇଥାଏ ସେମାନଙ୍କର ପ୍ରତ୍ୟେକ କର୍ମର ବା ଗୁଣର ଗାୟନ ହୋଇଥାଏ । ତେବେ ୧୬ କଳା ସମ୍ପନ୍ନ କହିଲେ ଯାହାର ପ୍ରତ୍ୟେକ ଚାଲିଚଳଣ ସମ୍ପୂର୍ଣ୍ଣ କଳା ରୂପରେ ଦେଖାଯାଉଥିବ - ଏହା ହିଁ ହେଉଛି ସମ୍ପୂର୍ଣ୍ଣ ସ୍ଥିତିର ଲକ୍ଷଣ । ଯେପରି ସାକାର ବାବାଙ୍କର କଥା କହିବାରେ, ଚାଲିବାରେ... ସବୁଥିରେ ବିଶେଷତା ପରିଲକ୍ଷିତ କରିଥିଲ । ତେବେ ଏହାକୁ ହିଁ କଳା କୁହାଯାଉଛି । ଉଠିବା-ବସିବାରେ ମଧ୍ୟ କଳା, ଦେଖିବାରେ ମଧ୍ୟ କଳା, ଚାଲିବାରେ ମଧ୍ୟ କଳା ଥିଲା । ସବୁଥିରେ ଭିନ୍ନତା ଏବଂ ବିଶେଷତା ଥିଲା । ତେଣୁ ଏହିଭଳି ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରି ୧୬ କଳା ସମ୍ପନ୍ନ ହୁଅ ।

ସ୍ଲୋଗାନ:-
ଶକ୍ତିଶାଳୀ ତାଙ୍କୁ କୁହାଯିବ ଯିଏ ତୁରନ୍ତ ପରଖି ନେବା ସହିତ ସମାଧାନ ମଧ୍ୟ କରିଦେଉଥିବେ ।