27.11.20          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:—
ତୁମେମାନେ ଡ୍ରାମାର ଖେଳକୁ ଭଲ ଭାବରେ ଜାଣିଛ ସେଥିପାଇଁ ଧନ୍ୟବାଦ ଦେବାର ମଧ୍ୟ କୌଣସି କଥା ନାହିଁ ।”

ପ୍ରଶ୍ନ:-
ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କ ଭିତରେ କେଉଁ ଅଭ୍ୟାସ ବିଲ୍କୁଲ୍ ରହିବା ଉଚିତ୍ ନୁହେଁ?

ଉତ୍ତର:-
ମାଗିବାର ଅଭ୍ୟାସ । ତୁମମାନଙ୍କୁ ବାବାଙ୍କଠାରୁ ଆଶୀର୍ବାଦ ଅଥବା କୃପା ଆଦି ମାଗିବାର ଆବଶ୍ୟକତା ନାହିଁ । ତୁମେ କାହାକୁ ପଇସା ମଧ୍ୟ ମାଗିପାରିବ ନାହିଁ କାରଣ ମାଗିବା ଠାରୁ ମରିବା ଭଲ । ତୁମେ ଜାଣିଛ ଡ୍ରାମା ଅନୁସାରେ କଳ୍ପ ପୂର୍ବରୁ ଯେଉଁମାନେ ବୀଜ ରୋପଣ କରିଥିବେ ଅର୍ଥାତ୍ ନିଜର ଧନ ସଫଳ କରିଥିବେ, ସେମାନେ ନିଶ୍ଚିତ କରିବେ, ଯେଉଁମାନଙ୍କୁ ନିଜର ଭବିଷ୍ୟତ ପଦ ଉଚ୍ଚ କରିବାର ଥିବ ସେ ନିଶ୍ଚିତ ସହଯୋଗୀ ହେବେ । ତୁମର କାମ ହେଉଛି ସେବା କରିବା । ତୁମେ କାହାଠାରୁ କିଛି ମାଗିପାରିବ ନାହିଁ । ଭକ୍ତିରେ ମାଗିବାର— ପରମ୍ପରା ଅଛି କିନ୍ତୁ ଜ୍ଞାନରେ ନୁହେଁ ।

ଗୀତ:-
ମୁଝକୋ ସାହାରା ଦେନେ ବାଲା...

ଓମ୍ ଶାନ୍ତି ।
ପିଲାମାନଙ୍କ ମୁଖରୁ ଧନ୍ୟବାଦର ଶବ୍ଦ ଏହି ପିତା-ଶିକ୍ଷକ-ଗୁରୁଙ୍କ ପାଇଁ ବାହାରି ପାରିବ ନାହିଁ କାହିଁକି ନା ପିଲାମାନେ ଜାଣିଛନ୍ତି ଏହି ଖେଳ ପୂର୍ବ ନିର୍ମିତ । ଏଥିରେ ଧନ୍ୟବାଦ ଆଦିର କୌଣସି କଥା ହିଁ ନାହିଁ । ଏକଥା ମଧ୍ୟ ପିଲାମାନେ ଡ୍ରାମା ଅନୁସାରେ ଜାଣିଛନ୍ତି । ଡ୍ରାମା ଶବ୍ଦ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଆସୁଛି । ଖେଳ ଶବ୍ଦ କହିବା ମାତ୍ରେ ସାରା ଖେଳ ତୁମ ବୁଦ୍ଧିରେ ଆସିଯାଉଛି । ଅର୍ଥାତ୍ ତୁମେ ସ୍ୱତଃ ସ୍ୱଦର୍ଶନ ଚକ୍ରଧାରୀ ହୋଇଯାଉଛ । ତିନିଲୋକ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଆସିଯାଉଛି । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକ । ଏକଥା ମଧ୍ୟ ଜାଣିଛ ଯେ, ଏବେ ଏହି ଖେଳ ପୂରା ହେବାକୁ ଯାଉଛି । ବାବା ଆସି ତୁମମାନଙ୍କୁ ତ୍ରିକାଳଦର୍ଶୀ କରୁଛନ୍ତି । ତିନି କାଳ, ତିନିଲୋକ, ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ସମୟକୁ କାଳ ବୋଲି କୁହାଯାଉଛି । ଏହି ସବୁ କଥା ନୋଟ୍ ନକରିଲେ ମନେ ରହିବ ନାହିଁ । ତୁମେମାନେ ତ ବହୁତ ପଏଣ୍ଟସ୍ ଭୁଲିଯାଉଛ । ଡ୍ରାମାର ଅବଧିକୁ ମଧ୍ୟ ତୁମେ ଜାଣିଛ । ତେଣୁ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ହୋଇଯାଉଛ, ତୁମକୁ ହିଁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ସବୁଠାରୁ ବଡ କଥା ହେଉଛି ତୁମେ ଆସ୍ତିକ ହୋଇଯାଉଛ, ନଚେତ୍ ଏହା ପୂର୍ବରୁ ଅନାଥ ଥିଲ । ଏହି ଜ୍ଞାନ ତୁମକୁ ହିଁ ମିଳୁଛି । ସ୍କୁଲର ଛାତ୍ରମାନଙ୍କର ବୁଦ୍ଧିରେ ସଦା ସର୍ବଦା ଜ୍ଞାନର ମନ୍ଥନ ହୋଇଥାଏ । ଏହା ମଧ୍ୟ ଜ୍ଞାନ ନା । ଡ୍ରାମା ଅନୁସାରେ ଶ୍ରେଷ୍ଠରୁ ଶ୍ରେଷ୍ଠ ବାବା ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି । ଡ୍ରାମା ଶବ୍ଦ ମଧ୍ୟ ତୁମମାନଙ୍କ ମୁଖରୁ ହିଁ ବାହାରିପାରିବ । ତାହା ମଧ୍ୟ ସେହି ସନ୍ତାନମାନଙ୍କ ମୁଖରୁ ଯେଉଁମାନେ ସେବାରେ ତତ୍ପର ରହୁଛନ୍ତି । ବର୍ତ୍ତମାନ ତୁମେ ଜାଣୁଛ — ଆମେ ଅନାଥ ଥିଲୁ । ଏବେ ବେହଦର ବାବା ଧନୀ ମିଳିଛନ୍ତି ତେଣୁ ଧନୀ ହୋଇଯାଇଛୁ । ପୂର୍ବରୁ ତୁମେ ବେହଦର ଅନାଥ ଥିଲ । ବେହଦର ବାବା ବେହଦର ସୁଖ ଦେଇଥା’ନ୍ତି । ଆଉ କୌଣସି ଏଭଳି ପିତା ନାହାନ୍ତି ଯିଏକି ଏପରି ସୁଖ ଦେଉ ଥିବେ । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ ଏସବୁ ତୁମ ସମସ୍ତଙ୍କର ବୁଦ୍ଧିରେ ଅଛି । କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ଏକଥା ଯଥାର୍ଥ ଭାବରେ ବୁଝାଅ, ଏହି ଈଶ୍ୱରୀୟ ଧନ୍ଦାରେ ଲାଗିଯାଅ । ପ୍ରତ୍ୟେକଙ୍କର ନିଜସ୍ୱ ପରିସ୍ଥିତି ରହିଛି, ତେବେ ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଥିବେ ସେଇମାନେ ହିଁ ବୁଝାଇପାରିବେ । ଯୋଗ ଦ୍ୱାରା ବଳ ମିଳିଥାଏ ନା । ବାବା ହେଉଛନ୍ତି ହିଁ ଧାରୁଆ ତରବାରୀ । ତୁମମାନଙ୍କୁ ମଧ୍ୟ ଧାରୁଆ ହେବାକୁ ପଡିବ । ଯୋଗବଳ ଦ୍ୱାରା ବିଶ୍ୱର ରାଜତ୍ୱ ପାଉଛ । ଯୋଗ ଦ୍ୱାରା ବଳ ମିଳୁଛି, ଜ୍ଞାନ ଦ୍ୱାରା ନୁହେଁ । ପିଲାମାନଙ୍କୁ ବୁଝାଇଛି — ଜ୍ଞାନ ରୋଜଗାରର ମାଧ୍ୟମ । ଯୋଗକୁ ବଳ କୁହାଯାଉଛି । ଏଥିରେ ରାତି-ଦିନର ଫରକ ରହିଛି । ତେବେ ଯୋଗ ଭଲ ନା ଜ୍ଞାନ ଭଲ? ଦୁନିଆରେ ଯୋଗର ହିଁ ଖ୍ୟାତି ରହିଛି । ଯୋଗ ଅର୍ଥାତ୍ ବାବାଙ୍କର ୟାଦ । ବାବା କହୁଛନ୍ତି ଏହି ଯୋଗବଳ ଦ୍ୱାରା ହିଁ ତୁମମାନଙ୍କର ପାପ କଟିଯିବ । ଏହା ଉପରେ ହିଁ ବାବା ଜୋର ଦେଉଛନ୍ତି । ଜ୍ଞାନ ତ ବହୁତ ସହଜ । ଭଗବାନୁବାଚ — ମୁଁ ତୁମମାନଙ୍କୁ ସହଜ ଜ୍ଞାନ ଶୁଣାଉଛି । ୮୪ ଜନ୍ମର ଚକ୍ରର ଜ୍ଞାନ ଶୁଣାଉଛି । ଏଥିରେ ସବୁ କିଛି ଆସିଯାଉଛି । ଏହା ମଧ୍ୟ ଇତିହାସ-ଭୂଗୋଳ ଅଟେ ନା । ଜ୍ଞାନ ଏବଂ ଯୋଗ ଉଭୟ ହେଉଛି ସେକେଣ୍ଡର କାମ । ବାସ୍, ଆମେ ଆତ୍ମା, ଆମକୁ ବାବାଙ୍କୁ ସ୍ମରଣ କରିବାକୁ ହେବ । ଏଥିରେ ହିଁ ମେହନତ ରହିଛି । ଯୋଗର ଯାତ୍ରାରେ ରହିବା ଦ୍ୱାରା ଶରୀରର ଯେପରି ବିସ୍ମୃତି ହେବାକୁ ଲାଗେ । ଯଦି ଘଣ୍ଟାଏ ମଧ୍ୟ ଏପରି ଅଶରୀରୀ ହୋଇ ବସିବ, ତେବେ କେତେ ପବିତ୍ର ହୋଇଯିବ । ମନୁଷ୍ୟ ରାତ୍ରିରେ କେହି ୬ ଘଣ୍ଟା କେହି ୮ ଘଣ୍ଟା ନିଦ୍ରା ଯାଆନ୍ତି ଯେତେବେଳେ କି ଅଶରୀରୀ ହୋଇଯାଇଥା’ନ୍ତି । ସେ ସମୟରେ କୌଣସି ବିକର୍ମ ହୁଏ ନାହିଁ । କାରଣ ଆତ୍ମା ଥକି ଶୋଇଯାଇଥାଏ । ଏପରି ନୁହେଁ ଯେ ପାପ ବିନାଶ ହୋଇଯାଏ । ନା, ତାହା ହେଉଛି ନିଦ୍ରା । ସେହି ସମୟରେ କିଛି ବିକର୍ମ ହୁଏ ନାହିଁ । ଯଦି ସେ ସମୟରେ ନିଦ୍ରା ନ କରିବେ ତେବେ ପାପ ହିଁ କରିବେ । ତେଣୁ ନିଦ୍ରା ମଧ୍ୟ ଏକ ପ୍ରକାର ସୁରକ୍ଷା । ସାରା ଦିନ ସେବା କରି ଆତ୍ମା କହେ ମୁଁ ଏବେ ଶୋଉଛି, ଅଶରୀରୀ ହୋଇଯାଉଛି । ଏବେ ତ ଶରୀର ଥାଇ ମଧ୍ୟ ତୁମକୁ ଅଶରୀରୀ ହେବାକୁ ପଡିବ । ମୁଁ ଆତ୍ମା ଏହି ଶରୀରରୁ ଅଲଗା, ଶାନ୍ତସ୍ୱରୂପ ଅଟେ । ଆତ୍ମାର ମହିମା କେବେ ହେଲେ ଶୁଣିନଥିବେ । ଆତ୍ମା ସତ୍ ଚିତ୍ ଆନନ୍ଦ ସ୍ୱରୂପ ଅଟେ । ପରମାତ୍ମାଙ୍କର ମହିମାର ଗାୟନ କରିଥା’ନ୍ତି କହନ୍ତି ସିଏ ସତ୍ୟ, ଚୈତନ୍ୟ ଅଟନ୍ତି । ସୁଖ-ଶାନ୍ତିର ସାଗର ଅଟନ୍ତି । ଏବେ ତୁମକୁ ତା’ର ମାଷ୍ଟର କୁହାଯିବ, ପିଲାକୁ ମାଷ୍ଟର ମଧ୍ୟ କହିଥା’ନ୍ତି । ତେଣୁ ବାବା ଯୁକ୍ତି ମଧ୍ୟ ବତାଉଛନ୍ତି । ଏପରି ନୁହେଁ ଯେ ସାରା ଦିନ ନିଦ୍ରାରେ ରହିବ । ନା । ତୁମକୁ ତ’ ଯୋଗଯୁକ୍ତ ହୋଇ ପାପ ବିନାଶ କରିବାକୁ ହେବ । ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଅ । ଏପରି ମଧ୍ୟ ନୁହେଁ ଯେ ବାବା ଆମ ଉପରେ ଦୟା ଅଥବା କୃପା କରୁଛନ୍ତି । ନା, ତାଙ୍କର ଗାୟନ ରହିଛି — ଦୟାଳୁ ବାଦଶାହ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରିବା ଏହା ମଧ୍ୟ ତାଙ୍କର ପାର୍ଟ ଅଟେ । ଭକ୍ତମାନେ କେବଳ ମହିମାର ଗାୟନ କରିଥା’ନ୍ତି — ତୁମକୁ କେବଳ ମହିମାର ଗାୟନ କରିବାର ନାହିଁ ସେଥିପାଇଁ ଦିନକୁ ଦିନ ଗୀତ ଆଦି ମଧ୍ୟ ବନ୍ଦ ହୋଇଯାଉଛି । ସ୍କୁଲ୍ରେ କ’ଣ କେବେ ଗୀତର ଗାୟନ କରାଯାଏ କି? ପିଲାମାନେ ଶାନ୍ତିରେ ବସି ରହିଥା’ନ୍ତି । ଶିକ୍ଷକ ଆସିଲେ ଉଠି ଛିଡା ହୋଇଯାଆନ୍ତି । ପୁଣି ବସିଯାଆନ୍ତି । ବାବା କହୁଛନ୍ତି ମୋତେ ତ ପାଠ ପଢାଇବାର ପାର୍ଟ ମିଳିଛି, ତେଣୁ ପାଠ ପଢାଇବାକୁ ହିଁ ହେବ । ତୁମମାନଙ୍କର ଉଠିବା ଦରକାର ନାହିଁ । ଆତ୍ମାକୁ ବସି ଶୁଣିବାକୁ ପଡିବ । ତୁମର କଥା ହିଁ ସାରା ଦୁନିଆଠାରୁ ନିଆରା । ପିଲାମାନଙ୍କୁ କ’ଣ କହିବେ କି ତୁମେ ଉଠ! ନା, ତାହା ଭକ୍ତିମାର୍ଗରେ କରୁଛନ୍ତି । ଏଠାରେ ନୁହେଁ । ବାବା ତ ନିଜେ ଉଠି ନମସ୍କାର କରୁଛନ୍ତି । ସ୍କୁଲରେ ପିଲାମାନେ ଡେରିରେ ଆସିଲେ ଶିକ୍ଷକ ନିୟମ ଲାଗୁ କରିଦିଅନ୍ତି, ତାଙ୍କୁ ବାହାରେ ଛିଡା କରିଦେବେ । ସେଥିପାଇଁ ଉଚିତ୍ ସମୟରେ ପହଞ୍ଚିବାର ଡର ରହିଥାଏ । ଏଠାରେ ତ ଡରିବାର କଥା ନାହିଁ । ବାବା ବୁଝାଉଛନ୍ତି — ମୁରଲୀ ତ ମିଳୁଛି । ଯାହାକୁ ପ୍ରତିଦିନ ପଢିବାକୁ ହେବ । ମୁରଲୀ ପଢିଲେ ତୁମର ପ୍ରେଜେଣ୍ଟ୍ ପଡିବ । ନଚେତ୍ ଅନୁପସ୍ଥିତ ପଡିଯିବ କାହିଁକି ନା ବାବା କହୁଛନ୍ତି ତୁମକୁ ଗୁହ୍ୟ-ଗୁହ୍ୟ କଥା ଶୁଣାଉଛି । ତୁମେ ଯଦି ମୁରଲୀ ମିସ୍ କରିବ ପଏଣ୍ଟସ୍ ମଧ୍ୟ ମିସ୍ ହୋଇଯିବ । ଏହା ହେଉଛି ନୂଆ କଥା, ଯାହାକୁ ଦୁନିଆରେ କେହି ଜାଣି ନାହାଁନ୍ତି । ମନୁଷ୍ୟମାନେ ତୁମ ଚିତ୍ର ଦେଖି ଚକ୍ରିତ ମଧ୍ୟ ହୋଇଯାଆନ୍ତି କାରଣ ଏହା କୌଣସି ଶାସ୍ତ୍ରରେ ନାହିଁ । ଭଗବାନ ଶିବବାବା ନିଜେ ଏହି ସବୁ ଚିତ୍ର କରାଇଥିଲେ । ତୁମର ଏହା ନୂଆ ଚିତ୍ରଶାଳା । ଯେଉଁମାନେ ବ୍ରାହ୍ମଣ କୂଳର ଦେବତା ହେବେ ସେହିମାନଙ୍କ ବୁଦ୍ଧିରେ ହିଁ ଏହା ପଶିବ । କହିବେ ଏହା ତ’ ଠିକ୍ କଥା । କଳ୍ପ ପୂର୍ବରୁ ମଧ୍ୟ ଆମେ ଏହି ପାଠପଢିଥିଲୁ, ଏହି ପାଠ ନିଶ୍ଚିତ ଭଗବାନ ହିଁ ପଢାଉଛନ୍ତି ।

ଭକ୍ତିମାର୍ଗର ଶାସ୍ତ୍ରରେ ପ୍ରଥମ ନମ୍ବରରେ ଶାସ୍ତ୍ର ଗୀତା ରହିଛି କାହିଁକି ନା ଏହା ହେଉଛି ପ୍ରଥମ ଧର୍ମ । ପୁଣି ଅଧାକଳ୍ପ ପରେ ତାଠାରୁ ମଧ୍ୟ ବହୁତ ପଛରେ ଅନ୍ୟ ଶାସ୍ତ୍ର ତିଆରି ହେଉଛି । ପ୍ରଥମେ ଇବ୍ରାହିମ ଆସିଲେ, ସେ ସମୟରେ ସେ ଏକା ଥିଲେ । ପୁଣି ଏକରୁ ଦୁଇ, ଦୁଇରୁ ଚାରି ହେଲେ । ଯେତେବେଳେ ଧର୍ମର ବୃଦ୍ଧି ହୋଇ-ହୋଇ ଲକ୍ଷେ ଦେଢ ଲକ୍ଷ ହୋଇଯାଉଛନ୍ତି ସେତେବେଳେ ଏହି ଶାସ୍ତ୍ର ଆଦି ରଚନା ହେଉଛି । ସେମାନଙ୍କର ମଧ୍ୟ ଅଧା ସମୟ ପରେ ହିଁ ରଚନା ହେଉଥିବ, ହିସାବ କରାଯାଏ ନା । ପିଲାମାନଙ୍କୁ ତ’ ବହୁତ ଖୁସି ହେବା ଉଚିତ୍ । ବାବାଙ୍କଠାରୁ ଆମକୁ ବର୍ସା ମିଳୁଛି । ତୁମେ ଜାଣିଛ ବାବା ଆମକୁ ସୃଷ୍ଟି ଚକ୍ରର ସମସ୍ତ ଜ୍ଞାନ ବୁଝାଉଛନ୍ତି । ଏହା ବେହଦର ଇତିହାସ-ଭୂଗୋଳ । ସମସ୍ତଙ୍କୁ କୁହ ଏଠାରେ ବିଶ୍ୱର ଇତିହାସ-ଭୂଗୋଳ ସମ୍ବନ୍ଧରେ ବୁଝାଯାଉଛି ଯାହାକୁ ଅନ୍ୟ କେହି ବି ବୁଝାଇ ପାରିବେ ନାହିଁ । ଯଦିଓ ବିଶ୍ୱର ନକ୍ସା ବାହାର କରୁଛନ୍ତି । କିନ୍ତୁ ସେଥିରେ କ’ଣ ଏହା ଦେଖାଉଛନ୍ତି ଯେ, ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ କେବେ ଥିଲା, କେତେ ସମୟ ଚାଲିଥିଲା । ବିଶ୍ୱ ତ’ ଗୋଟିଏ । ତେଣୁ ସେମାନେ ଭାରତରେ ହିଁ ରାଜ୍ୟ କରିଯାଇଛନ୍ତି, ଏବେ ସେମାନେ ନାହାଁନ୍ତି । ଏକଥା କାହାରି ବୁଦ୍ଧିରେ ନାହିଁ । ସେମାନେ ତ କଳ୍ପର ଆୟୁଷ ଲକ୍ଷେ ବର୍ଷ କହିଦେଉଛନ୍ତି । ବାବା ମଧୁର ସନ୍ତାନମାନଙ୍କୁ ଅଧିକ କୌଣସି କଷ୍ଟ ଦେଉନାହାଁନ୍ତି । ବାବା କହୁଛନ୍ତି, ତୁମମାନଙ୍କୁ ପବିତ୍ର ହେବାକୁ ପଡିବ । ପବିତ୍ର ହେବା ପାଇଁ ତୁମେ ଭକ୍ତିମାର୍ଗରେ କେତେ ଧକ୍କା ଖାଉଛ । ଏବେ ବୁଝିପାରୁଛ ଯେ, ଧକ୍କା ଖାଇ-ଖାଇ ୨୫୦୦ ବର୍ଷ ବିତିଗଲା । ବର୍ତ୍ତମାନ ପୁଣି ବାବା ପୁନର୍ବାର ରାଜ୍ୟ-ଭାଗ୍ୟ ଦେବା ପାଇଁ ଆସିଛନ୍ତି । ଏକଥା ତୁମର ମନେ ଅଛି । ଦୁନିଆ ପୁରୁଣାରୁ ନୂଆ ଏବଂ ନୂଆରୁ ପୁରୁଣା ନିଶ୍ଚିତ ହେଉଛି । ଏବେ ତୁମେ ପୁରୁଣା ଭାରତର ମାଲିକ ଅଟ ନା । ପୁଣି ନୂଆ ଦୁନିଆର ମାଲିକ ହେବ । ଗୋଟିଏ ପାର୍ଶ୍ଵରେ ଭାରତର ବହୁତ ମହିମା ଗାନ କରୁଛନ୍ତି, ଅନ୍ୟ ପାର୍ଶ୍ଵରେ ପୁଣି ବହୁତ ଗ୍ଲାନି କରୁଛନ୍ତି । ତୁମ ପାଖରେ ତା’ର ଗୀତ ମଧ୍ୟ ଅଛି । ତୁମେମାନେ ଅନ୍ୟକୁ ବୁଝାଉଛ — ଏବେ କ’ଣ ସବୁ ହେଉଛି । ଏହି ଦୁଇଟି ଗୀତ ମଧ୍ୟ ଶୁଣାଇବା ଉଚିତ୍ । ତୁମେ କହିପାରିବ — କେଉଁଠି ସେହି ରାମରାଜ୍ୟ ଏବଂ କେଉଁଠି ବର୍ତ୍ତମାନର ରାଜ୍ୟ !

ବାବା ହେଉଛନ୍ତି ଦୀନବନ୍ଧୁ । ତେଣୁ ଗରୀବମାନଙ୍କର ଝିଅମାନେ ହିଁ ଏଠାକୁ ଆସିବେ ଅର୍ଥାତ୍ ନିଜକୁ ସମର୍ପିତ କରିବେ । ସାହୁକାରମାନଙ୍କର ତ ନିଜର ନିଶା ରହିଥାଏ । ତେବେ କଳ୍ପ ପୂର୍ବରୁ ଯେଉଁମାନେ ଆସିଥିବେ ସେହିମାନେ ଆସିବେ । ଏଥିରେ ଚିନ୍ତାର କୌଣସି କଥା ନାହିଁ । ଶିବବାବାଙ୍କୁ କେବେ କୌଣସି ଚିନ୍ତା ହୁଏ ନାହିଁ । ଦାଦାଙ୍କର ହୁଏ । ଏହାଙ୍କର ନିଜର ଚିନ୍ତା ଅଛି, ମୋତେ ନମ୍ବରୱାନ ପବିତ୍ର ହେବାକୁ ପଡିବ । ସେଥିପାଇଁ ଗୁପ୍ତ ପୁରୁଷାର୍ଥ କରିବାକୁ ହେବ । ଚାର୍ଟ ରଖିଲେ ଜଣାପଡିଯାଏ, ଏହାଙ୍କର ପୁରୁଷାର୍ଥ ଅଧିକ । ବାବା ସବୁବେଳେ ବୁଝାଉଛନ୍ତି ଡାଏରୀ ରଖ । ବହୁତ ପିଲା ଲେଖୁଛନ୍ତି ମଧ୍ୟ, ଚାର୍ଟ ଲେଖିବା ଦ୍ୱାରା ବହୁତ ସୁଧାର ହେଉଛି, ଏହି ଯୁକ୍ତି ବହୁତ ଭଲ, ତେଣୁ ସମସ୍ତେ କରିବା ଉଚିତ୍ । ଡାଏରୀ ରଖିବା ଦ୍ୱାରା ତୁମର ବହୁତ ଲାଭ ହେବ । ଡାଇରି ରଖିବା ଅର୍ଥାତ୍ ବାବାଙ୍କୁ ମନେ ପକାଇବା । ସେଥିରେ ବାବାଙ୍କର ସ୍ମୃତି ଲେଖିବାକୁ ହେବ । ଡାଇରୀ ମଧ୍ୟ ସହଯୋଗୀ ହେବ, ତୁମେମାନେ ପୁରୁଷାର୍ଥ କରିପାରିବ । ନୋଟ୍ ଆଦି କରିବା ପାଇଁ କେତେ ଲକ୍ଷ-ଲକ୍ଷ କୋଟି-କୋଟି ଡାଏରୀ ହେଉଛି ସବୁଠାରୁ ମୁଖ୍ୟ କଥା ହେଉଛି ନୋଟ୍ କରିବା । ଏକଥା କେବେ ଭୁଲିବା ଉଚିତ୍ ନୁହେଁ । ସେ ସମୟରେ ଡାୟରୀରେ ଲେଖିବା ଦରକାର । ରାତିରେ ହିସାବ-କିତାବ ଲେଖିବା ଉଚିତ୍ । ତେବେ ଜଣାପଡିବ ଏହାଦ୍ୱାରା ତ’ ଆମର କ୍ଷତି ହେଉଛି କାହିଁକି ନା ଜନ୍ମ-ଜନ୍ମାନ୍ତରର ବିକର୍ମ ଭସ୍ମ କରିବାକୁ ହେବ । ବାବା ରାସ୍ତା ବତାଉଛନ୍ତି — ନିଜ ଉପରେ ଦୟା ଅଥବା କୃପା କରିବାକୁ ହେବ । ଶିକ୍ଷକ ତ’ ପାଠ ପଢାଇଥା’ନ୍ତି, ଆଶୀର୍ବାଦ ତ’ କରିବେ ନାହିଁ । ଆଶୀର୍ବାଦ, କୃପା, ଦୟା ଆଦି ମାଗିବାଠାରୁ ମରିଯିବା ଭଲ । କାହାଠାରୁ ପଇସା ମଧ୍ୟ ମାଗିବା ଉଚିତ୍ ନୁହେଁ । ଏକଥା ପିଲାମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ମନା କରାଯାଉଛି । ବାବା କହୁଛନ୍ତି ଡ୍ରାମା ଅନୁସାରେ ଯେଉଁମାନେ କଳ୍ପ ପୂର୍ବେ ବୀଜ ରୋପଣ କରିଥିଲେ, ଅର୍ଥାତ୍ ନିଜର ପଇସା ସଫଳ କରିଥିଲେ ବର୍ସା ପାଇଥିଲେ ସେହିମାନେ ସ୍ୱତଃ ହିଁ କରିବେ । ତୁମେ କୌଣସି କାମ ପାଇଁ ମାଗ ନାହିଁ । ନ କଲେ ପାଇବେ ନାହିଁ । ମନୁଷ୍ୟ ଦାନ ପୁଣ୍ୟ କରିଲେ ପ୍ରତିଦାନରେ ତାଙ୍କୁ ମିଳିଥାଏ ନା । ରାଜା ଅଥବା ସାହୁକାରଙ୍କ ପାଖରେ ଯାଇ ଜନ୍ମ ନେଇଥା’ନ୍ତି । ଯାହାଙ୍କର କରିବାର ଥିବ ସେ ସ୍ୱତଃ କରିବେ, ତୁମର ମାଗିବାର ନାହିଁ । କଳ୍ପ ପୁର୍ବରୁ ଯେଉଁମାନେ ଯେତିକି କରିଥିବେ, ଡ୍ରାମା ତାଙ୍କ ଦ୍ୱାରା କରାଇବ । ମାଗିବା କ’ଣ ଦରକାର । ବାବା ତ କହୁଛନ୍ତି ସେବା ନିମନ୍ତେ ହୁଣ୍ଡି ଭରୁଛି । ମୁଁ କ’ଣ ପିଲାମାନଙ୍କୁ କହିବି କି, ପଇସା ଦିଅ । ଭକ୍ତିମାର୍ଗର କଥା ଜ୍ଞାନ ମାର୍ଗରେ ନାହିଁ । ଯେଉଁମାନେ କଳ୍ପ ପୂର୍ବରୁ ସହଯୋଗ କରିଥିଲେ, ସେହିମାନେ ସ୍ୱତଃ କରିବେ, କେବେ ବି ମାଗିବା ଉଚିତ୍ ନୁହେଁ । ବାବା କହୁଛନ୍ତି ପିଲାମାନେ ତୁମେମାନେ ଚାନ୍ଦା ଏକାଠି କରିପାରିବ ନାହିଁ, ଏକଥା ତ ସନ୍ନ୍ୟାସୀମାନେ କରିଥା’ନ୍ତି । ଭକ୍ତିମାର୍ଗରେ ଅଳ୍ପ ଦେଲେ ମଧ୍ୟ ତା’ ବଦଳରେ ଗୋଟିଏ ଜନ୍ମ ପାଇଁ ମିଳିଥାଏ । ଏହା ହେଉଛି ଜନ୍ମ-ଜନ୍ମାନ୍ତର ପାଇଁ । ତେଣୁ ସବୁ କିଛି ଦେଇଦେବା ଭଲ ନା । ଏହାର ନାମ ଭୋଳା ଭଣ୍ଡାରୀ ଅଟେ । ତୁମେ ପୁରୁଷାର୍ଥ କରିଲେ ବିଜୟ ମାଳାରେ ଗୁନ୍ଥା ହୋଇପାରିବ, ଭଣ୍ଡାର ଭରପୁର କାଳକଣ୍ଟକ ଦୂର । ସେଠାରେ କେବେ ଅକାଳମୃତ୍ୟୁ ହେବ ନାହିଁ । ଏଠାରେ ମନୁଷ୍ୟ କାଳକୁ କେତେ ଡରୁଛନ୍ତି । ଟିକେ କିଛି ହେଲେ ମୃତ୍ୟୁ ମନେ ପଡିଯାଉଛି । ସେଠାରେ ଏହି ଖିଆଲ ମଧ୍ୟ ରହିବ ନାହିଁ । ତୁମେ ଅମରପୁରୀକୁ ଯାଉଛ । ଏହା ଛି-ଛି ମୃତ୍ୟୁଲୋକ ଅଟେ । ଭାରତ ଅମରଲୋକ ଥିଲା, ଏବେ ମୃତ୍ୟୁଲୋକ ହୋଇଯାଇଛି ।

ତୁମର ଅଧାକଳ୍ପ ବହୁତ ଛି-ଛି ଭାବରେ ବିତିଛି । ତୁମେମାନେ ତଳକୁ ଖସି ଆସିଛ । ପୁରୀର ଜଗନ୍ନାଥ ମନ୍ଦିରରେ କେତେ ଖରାପ-ଖରାପ ଚିତ୍ର ରହିଛି । ବାବା ତ ଅନୁଭବୀ ଅଟନ୍ତି ନା । ଚତୁର୍ଦ୍ଦିଗ ବୁଲିଛନ୍ତି । ଗୋରାରୁ ଶ୍ୟାମଳ ହୋଇଛନ୍ତି । ଗାଁରେ ରହୁଥିଲେ । ବାସ୍ତବରେ ସମଗ୍ର ଭାରତ ହେଉଛି ଗୋଟିଏ ଗାଁ, ତୁମେ ଗାଁର ପିଲା । ଏବେ ତୁମେ ଜାଣୁଛ ଆମେ ବିଶ୍ୱର ମାଲିକ ହେଉଛୁ । ଏପରି ଭାବିବା ନାହିଁ ଯେ ଆମେ ବମ୍ବେରେ ରହୁଛୁ । ବମ୍ବେ ମଧ୍ୟ ସ୍ୱର୍ଗ ଆଗରେ କ’ଣ! କିଛି ନୁହେଁ । ଗୋଟିଏ ପଥର ମଧ୍ୟ ନୁହେଁ । ଆମେ ଗାଁର ପିଲାମାନେ ନିର୍ଦ୍ଧନ ଅନାଥ ହୋଇଯାଇଛୁ ଏବେ ପୁଣି ଆମେ ସ୍ୱର୍ଗର ମାଲିକ ହେଉଛୁ ତେଣୁ ଖୁସିରେ ରହିବା ଉଚିତ୍ । ଏହାର ନାମ ହିଁ ସ୍ୱର୍ଗ । ମହଲମାନଙ୍କରେ କେତେ ହୀରା-ନୀଳା ଖଞ୍ଜା ହୋଇ ରହିବ । ସୋମନାଥ ମନ୍ଦିର କେତେ ହୀରା-ନୀଳାରେ ଭରି ରହିଥିଲା । ପ୍ରଥମେ ପ୍ରଥମେ ଶିବଙ୍କ ମନ୍ଦିର ତିଆରି କରିଥା’ନ୍ତି ସେତେବେଳେ କେତେ ସାହୁକାର ଥିଲେ । ଏବେ ତ’ ଭାରତ ଗାଁ ହୋଇଯାଇଛି । ସତ୍ୟଯୁଗରେ ବହୁତ ମାଲାମାଲ ଥିଲେ । ଏହି କଥା ଦୁନିଆରେ ତୁମ ବ୍ୟତୀତ କେହି ହେଲେ ଜାଣି ନାହାଁନ୍ତି । ତୁମେ କହୁଛ କାଲି ଆମେ ବାଦଶାହା ଥିଲୁ, ଆଜି ଫକୀର ହୋଇଯାଇଛୁ । ପୁଣି ବିଶ୍ୱର ମାଲିକ ହେବୁ । ତୁମେ ନିଜ ଭାଗ୍ୟକୁ ଧନ୍ୟବାଦ ଦେବା ଉଚିତ୍ ଯେ ଆମେ ପଦ୍ମାପଦମ ଭାଗ୍ୟଶାଳୀ ଅଟୁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିକର୍ମରୁ ବଞ୍ଚିବା ପାଇଁ ଏହି ଶରୀର ଭିତରେ ରହି ଅଶରୀରୀ ହେବାର ପୁରୁଷାର୍ଥ କରିବାକୁ ହେବ । ଯୋଗର ଯାତ୍ରା ଏପରି ହେଉ ଯେପରି ଶରୀରର ବିସ୍ମୃତି ହେବାକୁ ଲାଗିବ ।

(୨) ଜ୍ଞାନର ଚିନ୍ତନ ମନ୍ଥନ କରି ଆସ୍ତିକ ହେବାକୁ ପଡିବ । ମୁରଲୀ କେବେ ବି ମିସ୍ କରିବାର ନାହିଁ । ନିଜର ଉନ୍ନତି ପାଇଁ ଡାଏରୀରେ ଯୋଗର ଚାର୍ଟ ନୋଟ୍ କରିବାକୁ ହେବ ।

ବରଦାନ:-
ଜ୍ଞାନରୂପକ ଚାବୀ ଦ୍ୱାରା ଭାଗ୍ୟ ରୂପକ ଅସରନ୍ତି ସମ୍ପତ୍ତି ପ୍ରାପ୍ତ କରୁଥିବା ମାଲାମାଲ ଆତ୍ମା ହୁଅ ।

ସଂଗମଯୁଗରେ ସବୁ ପିଲାମାନଙ୍କୁ ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଜ୍ଞାନ ରୂପକ ଚାବୀ ମିଳିଯାଉଛି । ସେହି ଚାବୀକୁ ଲଗାଇ ଯେତେ ଇଚ୍ଛା ସେତେ ଭାଗ୍ୟ ରୂପକ ସମ୍ପତ୍ତି ନେଇଯାଅ । ଚାବୀ ମିଳିଗଲା ଅର୍ଥାତ୍ ମାଲାମାଲ ହୋଇଗଲ । ଯିଏ ଯେତିକି ମାଲାମାଲ ହେଉଛି ତା ଭିତରେ ସେତିକି ଖୁସି ଆପେ-ଆପେ ଅନୁଭବ ହେଉଛି । ଏଭଳି ଅନୁଭବ କରୁଛନ୍ତି ଯେପରି ଖୁସିରେ ଝରଣା ଅନବରତ ଭାବରେ ବହି ଚାଲିଛି । ସେମାନେ ସର୍ବ ସମ୍ପତ୍ତିରେ ଭରପୁର ମାଲାମାଲ ଦେଖାଯାଉଛନ୍ତି । ସେମାନଙ୍କ ନିକଟରେ କୌଣସି ପ୍ରକାରର ଅପ୍ରାପ୍ତି ରହୁ ନାହିଁ ।

ସ୍ଲୋଗାନ:-
ବାବାଙ୍କ ସହିତ ସମ୍ପର୍କ ଠିକ୍ ରଖ ତେବେ ସର୍ବଶକ୍ତିରୂପୀ କରେଣ୍ଟ ମିଳିବାକୁ ଲାଗିବ ।